ଅଟଳ ବିହାରୀ ବାଜପେୟୀ ଙ୍କ ୧୦୦ତମ ଜୟନ୍ତୀ ଉତ୍ସବ କୁ ଜିଲ୍ଲା ସୁଶାସନ ଦିବସ ରୂପେ ପାଳିତ

ଭବାନୀପାଟଣା- ୨୫/୧୨ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜୟନ୍ତୀ ସାରା ଦେଶରେ ଉତ୍ସାହ ଉଦ୍ଦୀପନା ସହ ପାଳିତ ହେଉଛି। କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ବାଜପେୟୀଙ୍କ ୧୦୦ତମ ଜନ୍ମ ତିଥିକୁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଜିଲ୍ଲାସ୍ତରୀୟ ସୁଶାସନ ଦିବସ ରୂପେ ପାଳନ କରୁଛି। ଏହି ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ବାଜପେୟୀଙ୍କ ଜୟନ୍ତୀ ମାଁ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଭବାନୀପାଟଣା ଅଡିଟୋରିଅମ୍ ରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ବଇତୁରା ଦୀପଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଭରତରତ୍ନ ଶ୍ରୀ ବାଜପେୟୀଙ୍କ ଜୟନ୍ତୀ ଡିସେମ୍ବର ୨୫ ତାରିଖକୁ ସୁଶାସନ ଦିବସ ଭାବରେ ପାଳନ କରାଯାଉଛି । ଏହି ଉପଲକ୍ଷେ ଜିଲ୍ଲା ପ୍ରଶାସନ ତରଫରୁ ବିଦ୍ୟାଳୟ , ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶ୍ରୀ ବାଜପେୟୀଙ୍କ ଆଦର୍ଶ ଜୀବନୀ, ଦେଶଭକ୍ତି ସମ୍ପର୍କରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅନୁଷ୍ଠିତ ସ୍ମୃତିଚାରଣ ସଭା ପ୍ରାରମ୍ଭରେ ତାଙ୍କ ପ୍ରତିଛବିରେ ଅତିଥିମାନେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହାପରେ ସଭାପୂର୍ବରୁ ମାଁ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥିଙ୍କ ଅକାଳ ବିୟୋଗରେ ସମସ୍ତେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥିଭାବେ କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ ଯୋଗ ଦେଇଥିଲା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଦୟାମୟ ପାଢ଼ୀ , ଡଃ. ନିବେଦିତା ନାଥ ଭାରପ୍ରାପ୍ତ ଭି.ସି. ମାଁ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ, ପିତାମ୍ବର ଭୋଇ ରେଜିଷ୍ଟ୍ରାର ଏବଂ ଜୟଦେବ ସାହୁ ଡେପୁଟି ରେଜିଷ୍ଟ୍ରାର ମାଁ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଭବାନୀପାଟଣା, ଉମାଶଙ୍କର କର ବରିଷ୍ଠ ସାମ୍ବାଦିକ, ଅଧ୍ୟାପକ ତପନ କୁମାର ରଥ, ମୁଖ୍ୟବକ୍ତା ଭାବରେ ସତ୍ୟ ନାରାୟଣ ମୁଣ୍ଡଛିନ୍ନା ଯୋଗ ଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ବାଜପେୟୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ ପୂର୍ବକ ତାଙ୍କର ଆଦର୍ଶ ଆତ୍ମଜୀବନୀ ଉପରେ ଆଲୋକପାତ କରିଥିଲେ । କବି, କବିୟତ୍ରୀମାନେ ବାଜପେୟୀଙ୍କ ଆଦର୍ଶ ଜୀବନୀ, ଦେଶାତ୍ମବୋଧକ ସମ୍ପର୍କରେ ସ୍ବରଚିତ କବିତା ପଠନ କରିଥିଲେ । କବିତା ପାଠ ଉତ୍ସବରେ ଅଧ୍ୟାପକ କବି ତପନ କୁମାର ରଥ, ସନ୍ତୋଷ ରଥ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପ ସିଂହ ରାଉତ ସହଯୋଗ କରିଥିଲେ । ଏଥିରେ କବି କବୀୟତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା, ବକୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରଶଂସା ପତ୍ର ମୁଖ୍ୟ ଅତିଥି ଓ ଅନ୍ୟ ନିମନ୍ତ୍ରିତ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ, କବି, ସାହିତ୍ୟିକ, ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ହଳଧର ନିଆଲ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପରିଚାଳନା କରିଥିଲା ବେଳେ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *