
ଭବାନୀପାଟଣା ତା ୨୭/୧୨ ଅଦିନିଆ ବର୍ଷା ଜନିତ ଫସଲ ହାନୀ ହୋଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରେ ପଞ୍ଜୀକୃତ ଚାଷୀ ବୀମା ସହାୟତା ପାଇବା ପାଇଁ ୭୨ ଘଣ୍ଟା ମଧ୍ୟରେ “କୃଷି ରକ୍ଷକ” ଆପ୍ କିମ୍ବା ହେଲ୍ପ ଲାଇନ ନମ୍ବର ୧୪୪୪୭ ରେ ତୁରନ୍ତ ସୂଚନା ଦେବାକୁ ଅନୁରୋଧ କରାଯାଇଛି। ଏହି କ୍ରମରେ ଜିଲ୍ଲାର କୌଣସି ଯୋଗ୍ୟ ଚାଷୀ ଯେପରି ପ୍ରଧାନମନ୍ତ୍ରୀ ଫସଲ ବୀମା ସହାୟତା ପାଇବାରୁ ଯେପରି ବଞ୍ଚିତ ନ ହୁଅନ୍ତି ସେ ଦିଗରେ କ୍ଷେତ୍ର ପ୍ରଦର୍ଶନ କରି ଚାଷୀଙ୍କୁ ସଚେତନ କରାଯାଇ ସଠିକ୍ ରିପୋର୍ଟ ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଆଭାସୀ ମାଧ୍ୟମରେ ବିଭାଗୀୟ ଅଧିକାରୀମାନଙ୍କୁ ଏକ ଜରୁରୀ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। ତହସିଲଦାର, ଆର ଆଇ, କୃଷି ଅଧିକାରୀ, ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ଯୁଦ୍ଧକାଳୀନ ଭିତ୍ତିରେ କ୍ଷେତ୍ର ପ୍ରଦର୍ଶନ କରି ଫସଲ ହାନିର ସଠିକ୍ ଆକଳନ ର ଯୁଗ୍ମ ରିପୋର୍ଟ ତୁରନ୍ତ ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଅଦିନିଆ ବର୍ଷାରେ ଭିଜି ଓଦା ହୋଇ ଯାଇଥିବା ଧାନକୁ ଚାଷୀ ଘରେ, ଖଳାରେ ଖରାରେ ଶୁଖାଇ ମଣ୍ଡିକୁ ନେଇ ବିକ୍ରି କରିପାରିବେ। ଏଥିପାଇଁ ଟୋକନ୍ ର ଅବଧି ସମୟ ସୀମାକୁ ବୃଦ୍ଧି କରାଯିବ। ଏହି ଆଭାସୀ ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ)ତନ୍ମୟ କୁମାର ଦରୱାନ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ଵ) ବଇତୁରା ଦୀପ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଦୟାମୟ ପାଢ଼ୀ, ଧର୍ମଗଡ ଉପ ଜିଲ୍ଲାପାଳ ଧିମାନ ଚକମା, ଉପ ଜିଲ୍ଲାପାଳ ଭବାନୀପାଟଣା, ପ୍ରଭାତ କୁମାର ପରିଡା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମଳୟ କୁମାର ପରିଡାଙ୍କ ସମେତ ଜିଲ୍ଲାର ସମସ୍ତ ତହସିଲଦାର, ବିଡିଓ, ସମସ୍ତ ବ୍ଲକ କୃଷି ଅଧିକାରୀ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଯୋଗ ଦେଇଥିଲେ।