କେସିଙ୍ଗା-୧୬/୪ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଅଧମୁଣ୍ଡା ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ଖୋଲାଯାଇଥିବା ବାଳକ ବାଳିକା ହଷ୍ଟେଲର ଅନ୍ତେବାସୀଙ୍କୁ ଦିଆଯାଊଥିବା ମଧ୍ୟାହ୍ନ ଭୋଜନରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ଅଭିଯୋଗ ହୋଇଛି। ଏହି ଆଶ୍ରମ ସ୍କୁଲରେ ମଧ୍ୟାହ୍ନ ଭୋଜନର ଦାୟିତ୍ୱ ତୁଲାଇବାକୁ ମା ମଙ୍ଗଳା ମହିଳା ଗ୍ରୁପ୍ ଏବଂ ହଷ୍ଟେଲର ମେସ୍ କାର୍ଯ୍ୟ ଓ କସମେଟିକ୍ ସାମଗ୍ରୀ ଯୋଗାଣ ପାଇଁ ମା ମହାମୟୀ ଗ୍ରୁପ୍ କୁ ଦାୟିତ୍ୱ ଦିଆଯାଇଛି। ଅତୀତରେ ଏହି ଆଶ୍ରମ ସ୍କୁଲରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରି ପୂର୍ବତନ ପ୍ରଧାନ ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଆଦିବାସୀ ଆଶ୍ରମ ସ୍କୁଲରେ ଗତ ବୁଧବାର ୨୪୫ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲାବେଳେ ଏମାନଙ୍କ ମଧ୍ୟାହ୍ନ ଭୋଜନ ପାଇଁ ୩୩ କେଜି ଚାଉଳ, ୧୦କେଜି ଡାଲି ଓ ଅଣ୍ଡା ତରକାରୀ ରାନ୍ଧିବା କଥା। କିନ୍ତୁ ୧୬ କେଜି ଚାଉଳ ରନ୍ଧା ଯାଇଥିଲା ବେଳେ ଅବଶିଷ୍ଟ ୧୭କେଜି ଚାଉଳ ନରାନ୍ଧି ହଡପ କରାଯାଇଥିଲା । ତେବେ ଉକ୍ତ ଏସଏଚଜି ପକ୍ଷରୁ ଅନେକ ସମୟରେ ନିମ୍ନମାନର ଖାଦ୍ୟ ଯୋଗାଣ ହେଉଥିବାରୁ ପ୍ରଧାନଶିକ୍ଷକ ବାରମ୍ବାର ତାଗିଦ୍ କଲେ ମଧ୍ୟ ମା ମହାମୟୀ ଗ୍ରୁପ୍ କର୍ଣ୍ଣପାତ କରୁନାହିଁ । ଉକ୍ତ ଆଶ୍ରମର ଅନ୍ତେବାସୀଙ୍କୁ ମେନୁ ହିସାବରେ ଖାଦ୍ୟ ଦିଆଯାଉ ନଥିବା ମଧ୍ୟ ଅଭିଯୋଗ ହେଉଛି । ଏଠାରେ ନିମ୍ନମାନର ତରକାରୀ, ପାଣିଆ ଡାଲି ଓ ଜଳଖିଆ ଦିଆଯାଇଥାଏ। ଏ ବିଷୟରେ ଉକ୍ତ ମହିଳା ଗ୍ରୁପ୍ ର ସଭାନେତ୍ରୀ ଓ ସମ୍ପାଦିକାଙ୍କୁ ପଚାରିବାରୁ ପିଲାମାନେ ମଧ୍ୟାହ୍ନ ଖାଇବାକୁ ଇଛା ପ୍ରକାଶ କରୁନାହାନ୍ତି ବୋଲି କହିଥିଲେ। ଏ ନେଇ ଉକ୍ତ ଆଶ୍ରମର ପ୍ରଧାନ ଶିକ୍ଷକ ଶତ୍ରୁଜିତ ପତିଙ୍କୁ ପଚାରିବାରୁ ମୁଁ ବହୁବାର ଉକ୍ତ ଗ୍ରୁପର ସଭାନେତ୍ରୀ ଓ ସମ୍ପାଦିକା ଙ୍କୁ ଅଭିଯୋଗ କଲେ ମଧ୍ୟ ମୋ କଥା ଶୁଣୁନଥିବାରୁ ମୁଁ ବିଇଓ ନିକଟରେ ଲିଖିତ ଅଭିଯୋଗ କରିବି ବୋଲି କହିଥିଲେ।