ନର୍ଲା – ୫/୧୧ (ପ୍ରଦୀପ କୁମାର ଗଉଡ) ଓଡ଼ିଶା ସରକାରଙ୍କ ଘୋଷଣା ଅନୁସାରେ ରାଜ୍ୟର ପ୍ରତ୍ୟେକ ବ୍ଲକରେ ଜେ ଏମ୍ ଏଫ୍ ସି କୋର୍ଟ କାର୍ଯ୍ୟକାରୀ ହେବ ବୋଲି ପ୍ରକାଶ କରିଥିଲେ। ହେଲେ ତାର ବ୍ୟତିକ୍ରମ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ରେ। ଜିଲ୍ଲାର ୧୩ ଟି ବ୍ଲକ୍ ମଧ୍ୟରୁ ଅଧିକାଂଶ ବ୍ଲକ୍ ରେ ଜେ ଏମ୍ ଏଫ୍ ସି କୋର୍ଟ କାର୍ଯ୍ୟକ୍ଷମ ହୋଇଥିବା ବେଳେ ନର୍ଲା ବ୍ଲକରେ ଆଜିଯାଏ ଜାଗା ଚିହ୍ନଟ ମଧ୍ୟ ହୋଇନାହିଁ । ସରକାରୀ ଉଦାସୀନତା ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ନିଷ୍କ୍ରିୟତା ଯୋଗୁଁ ଆଜିଯାଏ ଜେ ଏମ୍ ଏଫ୍ ସି କୋର୍ଟ ହୋଇପାରି ନଥିବାରୁ ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି । ନର୍ଲା ବାର୍ ଆସୋସିଏସନ୍ ମଧ୍ୟ କୋର୍ଟ ସ୍ଥାପନ ପାଇଁ ମାନ୍ୟବର ହାଇକୋର୍ଟଙ୍କୁ ଅନୁରୋଧ କରିଥିଲେ। ଫଳସ୍ଵରୂପ ମାନ୍ୟବର ହାଇକୋର୍ଟ ଜିଲ୍ଲା ଜଜ୍ ଓ ଜିଲ୍ଲାପାଳ କଳାହାଣ୍ଡିଙ୍କୁ ଏଥିପାଇଁ ଆନୁସଙ୍ଗିକ ଜମି ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳ କଳାହାଣ୍ଡି ନର୍ଲା ତହସିଲଦାରଙ୍କୁ ନିର୍ଦ୍ଦେଶ ଦେବା ପରେ ଆରମ୍ଭ ହୋଇଥିଲା ଜମି ଚିହ୍ନଟ ପ୍ରକ୍ରିୟା। ଏଥିପାଇଁ ୩ ଏକର୍ ଜମିର ଆବଶ୍ୟକ ଥିବାବେଳେ ବିଭିନ୍ନ ସ୍ଥାନରେ ଜମି ଚିହ୍ନଟ ମଧ୍ୟ ହୋଇଛି ।କିନ୍ତୁ ପରବର୍ତ୍ତୀ ସମୟରେ କୌଣସି ନା କୌଣସି କାରଣରୁ ତାହା ରଦ୍ଦ ହେଉଥିବାରୁ ନର୍ଲା ବାର୍ ଆସୋସିଏସନର କର୍ମକର୍ତ୍ତାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ରାଜ୍ୟରେ ପୂର୍ବ ସରକାର ୨୪ ବର୍ଷ କାଳ ଶାସନରେ ଥାଇ ମଧ୍ୟ ନର୍ଲାରେ ଜେ ଏମ୍ ଏଫ୍ ସି କୋର୍ଟ ସ୍ଥାପନ ହୋଇପାରିଲା ନାହିଁ। କିନ୍ତୁ ନୂତନ ଡବଲ ଇଞ୍ଜିନ ସରକାର ଏଥିପ୍ରତି ଦୃଷ୍ଟି ଦେଇ ନର୍ଲା ଅଞ୍ଚଳବାସୀଙ୍କ ବହୁ ଦିନର ସ୍ବପ୍ନ ଜେ ଏମ୍ ଏଫ୍ ସି କୋର୍ଟ ସ୍ଥାପନ କରିବେ ବୋଲି ଆଶା ରଖିଛନ୍ତି।