
କେସିଙ୍ଗା-୧୩/୨ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରର ବିପର୍ଯ୍ୟସ୍ତ ଟ୍ରାଫିକ୍ ସମସ୍ୟା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଜିଲ୍ଲାପାଳ ପାଓ୍ବାର ସଚିନ ପ୍ରକାଶ ସମସ୍ୟାର ସୁଧାର ପାଇଁ ପରୀକ୍ଷାମୂଳକ ଭାବେ ଜଗନ୍ନାଥ ପଡା ଛକରେ ସିଗ୍ନାଲ ଲାଇଟ୍ ଲଗାଇବା ବ୍ୟବସ୍ଥା କରିବା ପାଇଁ ଏନ୍ଏସି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ଏନ୍ଏସି କର୍ତ୍ତୃପକ୍ଷ ୧୬ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ବ୍ୟୟରେ ଗତବର୍ଷ ଡ଼ିସେମ୍ବର ମାସରେ ସିଗ୍ନାଲ ଲାଇଟ୍ ଲଗାଇଥିଲେ। ହେଲେ ସିଗ୍ନାଲ ଲାଇଟ୍ ସ୍ଥାପନ ହେବାର ଏକ ମାସ ପରେ ଏହା କାର୍ଯ୍ୟକ୍ଷମ ହୋଇଥିଲା। ତେବେ ସିଗ୍ନାଲ ଲାଇଟ୍ ଚାଲୁ ହୋଇଥିଲେ ମଧ୍ୟ କେତେକ ଅମାନିଆ ଲୋକ ସିଗ୍ନାଲ ଲାଇଟ୍ ଟ୍ରାଫିକ୍ ନିୟମକୁ ନମାନି ବଡ଼ ବଡ଼ ଯାନବାହାନ, ବାଇକ୍ ଆଦି ଗାଡି ଚଳାଉଥିବା ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ଉକ୍ତ ଛକରେ ସ୍ଥାନୀୟ ପୋଲିସ ଷ୍ଟେସନ ପକ୍ଷରୁ କନେଷ୍ଟବଳ ମାନଙ୍କୁ ନିଯୁକ୍ତି ଦିଆଯାଉଥିଲେ ମଧ୍ୟ ସେମାନେ କାହାକୁ ବି ନିୟନ୍ତ୍ରଣ କରୁନାହାନ୍ତି ବରଂ ନିଜ ମୋବାଇଲ ଦେଖିବାରେ ବ୍ୟସ୍ତ ରହୁଛନ୍ତି। ଏନେଇ ଆଇଆଇସି ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଙ୍କୁ ଖବର ଦେବାରୁ ସେ କହିଥିଲେ ଯେ ସେଠାରେ ଜାତୀୟ ରାଜପଥ ଉପରେ ପିଚୁ ହୋଇଥିବା ସ୍ଥାନକୁ ଛାଡ଼ିଦେଲେ ଅନ୍ୟ ଦୁଇ ପାର୍ଶ୍ବକୁ ଲୋକେ ଜବରଦଖଲ କରି ବ୍ୟବସାୟ କରୁଛନ୍ତି। ଯଦି ରାଜପଥ ଉପରେ ଅମାନିଆ ଗାଡ଼ି ଚାଳକଙ୍କୁ ଅଟକାଇ ଫାଇନ୍ କିମ୍ବା ଅନ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ନେବୁ ସେଠାରେ ଅନ୍ୟାନ୍ୟ ଯାନବାହାନ ଅଟକି ରହିବ। ଫଳରେ ଟ୍ରାଫିକ୍ ସମସ୍ୟା ଆହୁରି ଗୁରୁତର ରୂପ ଧାରଣ କରିବ। ତେଣୁ ପୋଲିସ ଅମାନିଆଙ୍କ ବିରୋଧରେ କୈାଣସି କାର୍ଯ୍ୟାନୁଷ୍ଠାନ ନେଇପାରୁ ନାହିଁ ବୋଲି ଆଇଆଇସି ଶ୍ରୀ ମହାପାତ୍ର କହିଥିଲେ। ତେଣୁ ଏନ୍ଏସି କର୍ତ୍ତୃପକ୍ଷ ତୁରନ୍ତ ୨୬ ନଂ ଜାତୀୟ ରାଜପଥର ଦୁଇ ପାର୍ଶ୍ୱରୁ ଜବରଦଖଲ ଉଛେଦ କଲେ ଟ୍ରାଫିକ୍ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଅପର ପକ୍ଷରେ ସହର ଭିତର ହେଇ ୨୬ ନଂ ଜାତୀୟ ରାଜପଥ ଯାଇଥିବାରୁ ବଡ ବଡ ଭାରୀଯାନଗୁଡିକ ଯାତାୟାତ କରୁଥିବାରୁ ଟ୍ରାଫକ୍ ସମସ୍ୟା ଦ୍ଵିଗୁଣିତ ହୋଇଛି। ତେଣୁ ସହର ବାହାରେ ବାଇପାସ୍ ରାସ୍ତାର ଆବଶ୍ୟକତା ରହିଛି। ଅନ୍ୟପକ୍ଷେ ରାଜରାସ୍ତାର ଦୁଇପାର୍ଶ୍ବରୁ ଜବରଦଖଲ ଉଚ୍ଛେଦ କରାଗଲେ ଟ୍ରାଫିକ୍ ସମସ୍ୟା ର ସୁଧାର ଆସିପାରନ୍ତା ବୋଲି ଆଲୋଚନା ହେଉଛି। ସେହିପରି ଗାଡି ଚାଳକ ମାନଙ୍କ ମଦ୍ୟପାନ ଉପରେ କଟକଣା ଜରୁରୀ ହୋଇପଡ଼ିଛି। କାରଣ ଗତ ୧୫ ତାରିଖ ରବିବାର ଏକ ଟ୍ରକ ଜଣେ ବାଇକ୍ ଆରୋହୀର ପଛପଟୁ ଧକ୍କା ଦେବା ଯୋଗୁଁ ଉକ୍ତ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହିସବୁ ସମସ୍ୟା ପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି।