ଆଗ ପେଟ ପୋଷା ହେଉ, ନିର୍ମିତ ପ୍ରକଳ୍ପ ଗୁଡ଼ିକ ପଛେ ଚୁଲିକୁ ଯାଉ

କେସିଙ୍ଗା- ୨୭/୧୧ ପୂର୍ବ ବିଜେଡ଼ି ସରକାର ତଥା ତାଙ୍କ ଅମଲା ମାନଙ୍କର ଠିକାଦାର ପୋଷା ଓ ପିସି ଖାଇବା ନୀତି ଯୋଗୁଁ ସାଧାରଣ ଜନତାଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଟ୍ୟାକ୍ସ ଟଙ୍କାକୁ କିପରି ଅସଦ୍ ଉପାୟରେ ଖର୍ଚ୍ଚ କରାଯାଉ ଥିଲା ତାହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି କେସିଙ୍ଗା ଏନ୍ଏସିରେ ନିର୍ମିତ ବିଭିନ୍ନ ପ୍ରକଳ୍ପ କାମରେ। ବଗାଡଗ୍ରାମର ୨ ନଂ ଓ୍ବାର୍ଡରେ ମୁକ୍ତା ଯୋଜନାରେ ପାଖାପାଖି ୨୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ମିଶନ ଶକ୍ତି ଗୃହ, ପରିଚୟ ଗୃହ ଏବଂ ଶିଶୁ ଉଦ୍ୟାନ । ପରିଚୟ ଗୃହଟି ନିର୍ମାଣ ହୋଇ ନିଜ ପରିଚୟ ହରାଇବାକୁ ଯାଉଥିବା ବେଳେ କ’ଣ ପାଇଁ ଏହା ତିଆରି ହୋଇଥିଲା ତାହା ବିଜେଡ଼ି ସରକାରଙ୍କୁ ଜଣା । ସେହିପରି ପରିଚୟ ଗୃହର ପାର୍ଶ୍ଵରେ ନିର୍ମାଣ ହୋଇଥିବା ମିଶନ ଶକ୍ତି ଗୃହର ଅବସ୍ଥା ମଧ୍ୟ ସମାନ ସ୍ଥିତିରେ ରହିଛି । ନିର୍ମାଣ ଶେଷ ହୋଇ ଦୀର୍ଘ ଦିନ ହୋଇସାରିଥିଲେ ମଧ୍ୟ ଅବ୍ୟବହୃତ ହୋଇ ପଡ଼ିରହିଛି । ଫଳରେ ଏହି ଦୁଇ ଗୃହ ଅବ୍ୟବହୃତ ହୋଇ ରହିବା ଯୋଗୁଁ ସାମ୍ନାରେ ଅନାବନା ଘାସ ଉଠିଥିବା ଦେଖିବାକୁ ମିଳିଛି । ଏହି ଗୃହ ଦ୍ବୟ କାହା ସ୍ୱାର୍ଥରେ ଓ କ’ଣ ପାଇଁ ନିର୍ମାଣ ହୋଇଥିଲା ଏବଂ କାହିଁକି ଅବ୍ୟବହୃତ ହୋଇ ପଡ଼ିରହିଛି ତାହା ହିଁ କେବଳ ଏନ୍ଏସି କର୍ତ୍ତୃପକ୍ଷ କହି ପାରିବେ । ତେବେ ଏହା କେବଳ ଠିକାଦାର ପୋଷା ନୀତି ନା ନିଜ ପକେଟ୍ ଗରମ କରିବା ଲାଗି ପିସି ନେଇ ଏନ୍ଏସି କର୍ତ୍ତୃପକ୍ଷ ଚୁପ୍ ରହିଛନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଅନୁରୂପ ଭାବେ ମିଶନ ଶକ୍ତିଗୃହର ସାମ୍ନାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଶିଶୁ ଉଦ୍ୟାନଟି ମଧ୍ୟ ଅବ୍ୟବହୃତ ହୋଇପଡ଼ିରହିଛି । ସବୁବେଳେ ଉଦ୍ୟାନର ମୁଖ୍ୟ ଗେଟରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ତେବେ ଏହା ଯଦି ଶିଶୁମାନଙ୍କ ଆମୋଦ ପ୍ରମୋଦ ପାଇଁ ଏହା ନିର୍ମାଣ ହୋଇଥିଲା ତେବେ କାହିଁକି ତାଲା ମାରି ରଖାଯାଇଛି ? ଏହାକୁ ଶୀଘ୍ର ଖୋଲିବା ପାଇଁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *