
ଭବାନୀପାଟଣା- ୧୦/୧୧ ପୂର୍ବ ୨୪ ବର୍ଷର ସ୍ଥିର ବିଜେଡି ସରକାର ଯାହା ନକରି ପାରିଛନ୍ତି, ବର୍ତ୍ତମାନ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲିଥିବାରୁ ଅବହେଳିତ ଲୋକେ ଚାହିଁ ବସିଛନ୍ତି ସେମାନଙ୍କ ସମସ୍ୟା ସୁଧୁରିବ କେବେ ? ସୂଚନାରୁ ପ୍ରକାଶ ଯେ ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବେଡେଗାଁ ପଞ୍ଚାୟତର ମନସ୍ତରା ଗାଁ ୧୦୦ ବର୍ଷ ତଳେ ସ୍ଥାପନ ହୋଇଥିଲା ବେଳେ ସମସ୍ତ ପରିବାର ଆଦିବାସୀ ବର୍ଗର ବୋଲି ଜଣାଯାଇଛି। ଆମ ଦେଶ ସ୍ବାଧୀନତା ହେବାର ୭୭ ବର୍ଷରୁ ଉର୍ଦ୍ଧ୍ଵ ହୋଇଥିଲେ ମଧ୍ୟ ଏହି ଆଦିବାସୀ ବହୁଳ ମନସ୍ତରା ଗ୍ରାମବାସୀଙ୍କ ପାଇଁ ଗମନାଗମନ, ସ୍ବାସ୍ଥ୍ୟ, ବିଜୁଳି, ଆବାସ ଯୋଜନା ଘର ଆଦି ସାତସପନ ହୋଇଛି। ଏହି ଗାଁକୁ ଖଣ୍ଡିଏ ସବୁଦିନିଆ କିମ୍ବା ପକ୍କା ରାସ୍ତାଟିଏ ନାହିଁ। ଫଳରେ ଗ୍ରାମକୁ ଆମ୍ବୁଲାନ୍ସ ଆସିପାରୁ ନଥିବାରୁ ଗାଁ ର ଗର୍ଭବତୀ ମହିଳାମାନେ ଖଟିଆର ବୂହା ହୋଇ ବ୍ଲକର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ବେଳେ ଗରିବ ସାଧାରଣ ଲୋକେ ଉନ୍ନତମାନର ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି। ଏପରିକି ଗାଁ ର ଏଏନଏମ୍ ଦିଦି କେବେ ଆସିବା କେହି ଦେଖିନଥିବା ବେଳେ କେବେ ବି ସେମାନଙ୍କୁ ପ୍ରତିଷେଧକ ଟୀକା ଦିଆଯାଇନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେହିପରି ଗାଁ ରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଲାଗି ଥିଲାବେଳେ ସେଥିରେ କରେଣ୍ଟ ଆସୁଛି। କିନ୍ତୁ ଗାଁ ର ଗୋଟିଏ ଘର ବ୍ୟତୀତ ଅନ୍ୟ ଘରଗୁଡିକୁ ଲାଇନ ଦିଆଯାଇନଥିବାରୁ ପିଲାମାନେ ଡିବିରି ଆଲୁଅରେ ପାଠ ପଢ଼ୁଛନ୍ତି। ଏନେଇ ଗ୍ରାମବାସୀ ବାରମ୍ବାର ଜିଲ୍ଲାପାଳଙ୍କୁ ଗୁହାରି କରିଥିଲେ ମଧ୍ୟ କୈାଣସି ସୁଫଳ ମିଳିନାହିଁ। ଏହି ଗ୍ରାମକୁ ପ୍ରାୟ ୧୦/୧୨ ଜଣ ବିଡ଼ିଓ ଆସି ପରିଦର୍ଶନ କରିଯାଇଥିଲେ ହେଁ ଗାଁ ରେ କାହାକୁ ଆବାସ ଯୋଜନାରେ ଘରଟିଏ ମଧ୍ୟ ମିଳିନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ। ତେଣୁ ବିଜେପି ମୋହନ ସରକାର ଏହି ଗାଁ ର ଦୟନୀୟ ଅବସ୍ଥା ପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।