ଆମପାଣି ପଞ୍ଚାୟତକୁ ବ୍ଲକ ମାନ୍ୟତା ଦେବାକୁ ଦାବି

ଭବାନୀପାଟଣା ତା:୧୨/୦୩ ରାଜ୍ୟ ସରକାର ନୂତନ ବ୍ଲକ ଓ ପଂଚାୟତ ଗଠନ ନିମନ୍ତେ ନିକଟ ଅତୀତରେ ଗଣମାଧ୍ୟମରେ ଖବର ପ୍ରସାରିତ କରିବା ପରେ ବହୁତ ଦିନରୁ ଆଶାବାନ୍ଧି ରହିଥିବା ଗ୍ରାମ ପଂଚାୟତ ଗୁଡିକ କସରତ ଆରମ୍ଭ କରି ଦେଇଛନ୍ତି। ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନବରଙ୍ଗପୁର ଜିଲ୍ଲା ସୀମାରେ ଅବସ୍ଥିତ ଆମପାଣି ଠାରେ ବ୍ଲକ ସ୍ଥାପନା ନେଇ ବୁଧବାର ପୂର୍ବାହ୍ନ ୧୨ଟା ରେ କ୍ରିୟାନୁଷ୍ଠାନ କମିଟୀର ଆହ୍ୱାନକ୍ରମେ ୧୦ଟି ପଞ୍ଚାୟତବାସୀ କଳାହାଣ୍ଡି ଜିଲ୍ଲାପାଳଙ୍କ ମାଧ୍ୟମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। କ୍ରିୟାନୁଷ୍ଠାନ କମିଟୀର କର୍ମକର୍ତ୍ତା ମାନେ ଜିଲ୍ଲପାଳ ପାୱାର ସଚିନ ପ୍ରକାଶଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଦାବିପତ୍ର ପ୍ରଦାନ ବେଳେ ୧୦ଟି ପଂଚାୟତ ଯଥା କୋକସରା ବ୍ଲକ ଅଧୀନସ୍ତ  ଆମପାଣି, କାଉଡୋଳା, ବଡପୋଡଗୁଡା,ବରଡ଼ଙ୍ଗା, ଡୁଡୁକାଠେଙ୍ଗା, ମହିମା, ସାନ ପୋଡ଼ଗୁଡା,  ଗୋତମୁଣ୍ଡା ଓ ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ ପୂଝରୀଗୁଡ଼ା ଏବଂ  ଉଚ୍ଚଳା ଗ୍ରାମ ପଞ୍ଚାୟତ ରହିଛନ୍ତି। ବୁଧବାର ଦିନ ଆମପାଣି ବ୍ଲକ କ୍ରିୟାନୁଷ୍ଠାନ କମିଟୀର ଆବାହକ ବିଘ୍ନେଶ୍ୱର ନାଏକ, ସଭାପତି ଗୋପୀଚନ ନାଏକ, ଉପ ସଭାପତି ବିଘ୍ନେଶ୍ୱର ନାଏକ, ଟିକିଚନ୍ଦ୍ର ମାଝୀ, କୃଷ୍ଣ ଚନ୍ଦ୍ର ମାଝୀ, ପ୍ରଦୀପ କୁମାର ସାହୁ, ମାନିରାଜ ବାଣୁଆ, ମଧୁବନ ପାତ୍ର କାର୍ଯ୍ୟକାରୀ ସଭାପତି ଋତୁରାଜ ମାଝୀ, ସମ୍ପାଦକ ଧନୁ ଦୁର୍ଗା, କୋଷାଧକ୍ଷ ସୁରେଶ ଚନ୍ଦ୍ର ସାହୁଙ୍କ ସମେତ ଆମପାଣି ଅଂଚଳର ଶତାଧିକ ଲୋକ ଉପସ୍ଥିତ ଥିଲେ। ଜିଲ୍ଲାପାଳ କ୍ରିୟାନୁଷ୍ଠାନ କମିଟିର ଦାବିକୁ ଗ୍ରହଣ କରି ଅଧଘଣ୍ଟା କାଳ ଅଂଚଳର ପାରିପାର୍ଶିକ ଓ ଭୌଗଳିକ ସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହ ଏହି ଦାବୀ ଉପରେ ଗୁରୁତର ସହ ବିଚାର କରି ଯଥାସମ୍ଭବ ପଦକ୍ଷେପ ନିଆଯିବବୋଲି ପ୍ରତିଶୃତି ଦେଇଥିଲେ।

Leave a Reply

Your email address will not be published. Required fields are marked *