କେସିଙ୍ଗା – ୧୫/୨ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଉତ୍କେଳା ଓ ଚାଞ୍ଚେର ଗ୍ରାମ ପଞ୍ଚାୟତର ପୂର୍ବତନ ପିଇଓ ଲମ୍ବୁ ଶିଖା ଏହି ଦୁଇଟି ପଞ୍ଚାୟତରେ ପାଖାପାଖି ୧ କୋଟି ଟଙ୍କା ହେରଫେର କରିଥିବା ନେଇ ଅଭିଯୋଗ ହୋଇଛି। ତେବେ ଏହି କରିତ୍ କର୍ମା ପିଇଓ ଭବାନୀପାଟଣା ସଦର ବ୍ଲକର ଶିରିପୁର ଓ ଲକ୍ଷ୍ମୀପୁର ପଞ୍ଚାୟତରେ କାର୍ଯ୍ୟରତ ଥିଲାବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରାୟ ୩୫ ଲକ୍ଷ ଟଙ୍କା ହେରଫେର କରିଥିବା ନେଇ ଅଡିଟ୍ ରେ ଧରାପଡ଼ିଥିଲା। ଏଥିପାଇଁ ତାଙ୍କୁ ନିଳମ୍ବିତ କରାଯାଇଥିଲା। ହେଲେ ଉପରିସ୍ଥ ଅଧିକାରୀଙ୍କ ପକେଟ୍ ଗରମ କରିବାରେ ସଫଳ ହୋଇ ଶୀଘ୍ର ପୁନଃ ନିଯୁକ୍ତି ପାଇଥିଲେ। କାହାକୁ ବିଳାସ ବ୍ୟସନ ଗାଡ଼ିରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ, ତୀର୍ଥସ୍ଥଳ ଆଦି ବୁଲାଇବା ଓ ୫ ଷ୍ଟାର ହୋଟେଲରେ ରଖିବା ଏବଂ ଦରକାର ପଡିଲେ ମୋଟା ଅଙ୍କର ଅର୍ଥ ଦେଇ ଖୁସି କରାଇଥାନ୍ତି ବୋଲି ବିଭିନ୍ନ ମହଲରୁ ଶୁଣିବାକୁ ମିଳେ। ଏଣୁ ତାଙ୍କ ନାମରେ ହୋଇଥିବା ଅଭିଯୋଗ ଫାଇଲଟି ସର୍ବଦା ନାଲିଫିତା ତଳେ ଚାପିହୋଇ ରହିଯାଏ। ଏଥିଯୋଗୁଁ କେସିଙ୍ଗା ବ୍ଲକରେ ତାଙ୍କ ଦୁର୍ନୀତିର ଚେର ବହୁତ ଲମ୍ବା ଥିଲା। ଗତ କିଛିଦିନ ତଳେ କେସିଙ୍ଗା ବ୍ଲକର ଚାଞ୍ଚେର ଓ ଉତ୍କେଳା ପଞ୍ଚାୟତର ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ମାସିକ ଭତ୍ତା ପ୍ରଦାନରେ ଅନିୟମିତତା, ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ନକରି ଅଯୋଗ୍ୟ ଲୋକଙ୍କୁ ଆବାସ ଯୋଜନାରେ ଗୃହ ଦେବା, ସିଏଫସି ଓ ଏସଏଫସି ଅନୁଦାନର ଦୂରୁପଯୋଗ କରି ବିନା କାମରେ ପ୍ରକଳ୍ପ ନାଁ ରେ ମିଥ୍ୟା ବିଲ୍ କରି ତାଙ୍କର ପାରଦର୍ଶିତା ଦେଖାଇଛନ୍ତି। ଏପରିକି ଯେଉଁ ଅଯୋଗ୍ୟ ଲୋକଙ୍କୁ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ଆଦେଶ ପତ୍ର ଦେଇଥିଲେ, ସେଠାରେ ଏବେ ୨/୩ ମହଲା ଘର ଛିଡ଼ା ହୋଇଥିବା ଅଭିଯୋଗ ହେଉଛି। କଥାରେ ଅଛି “ତୁ ଗୁହାରୀ କରିବୁ ଯାହାକୁ, ମୁଁ ଘଇତା କରିଛି ତାହାକୁ” ନୀତିରେ ଦୁଇ ପଞ୍ଚାୟତର ସର୍ବସାଧାରଣଙ୍କ ମୁହଁ ବନ୍ଦ କରି ଦେଇଥିଲେ। ଏହି ଦୁଇ ପଞ୍ଚାୟତର କିଛି ଜନ ପ୍ରତିନିଧିମାନେ ତାଙ୍କ ହଁ ରେ ହଁ ମିଳାଇ ଚାଲିଥିବା ଖବର ଶୁଣିବାକୁ ମିଳିଛି। ଯାହାଫଳରେ ସେ ଯାହା କଲେ ବି ସେମାନଙ୍କ ମୁହଁ ବନ୍ଦ ରହୁଥିଲା। ତାଙ୍କ ଦୁର୍ନୀତିର ଏ ମାତ୍ର କିଛି ଅଂଶ ! ତେଣୁ ଜିଲ୍ଲାପାଳ ବିଭିନ୍ନ ସରକାରୀ ଅର୍ଥ ହେରଫେର ଘଟଣାର ନିରପେକ୍ଷ ସଂସ୍ଥା ଦ୍ବାରା ଅଡିଟ୍ କରିବା ସହିତ ତାଙ୍କୁ ଚାକିରୀରୁ ବହିଷ୍କାର ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିବା ଲାଗି ଜନସାଧାରଣରେ ଦାବି ହେଉଛି।