
କଲମପୁର , ୨୨/୧୨ (ଗଣେଶରାମ ବାଗ) ଆଦିବାସୀ ମାନେ ଆଦିମକାଳରୁ ପାରମ୍ପରିକ ହିସାବରେ ମାଟି ମାଁ ଙ୍କୁ ଧରଣୀ ଦେବୀ ଭାବେ ପୂଜା ଅର୍ଚ୍ଚନା କରି ଆସୁଛନ୍ତି । ଧରଣୀ ଦେବୀଙ୍କ ଏକ ଅନନ୍ୟ ପାରମ୍ପାରିକ ପର୍ବ ‘ଟୋକିପର୍ବ’ । ଏହି ଟୋକିପର୍ବ ର ଅନ୍ୟ ଏକ ଉପ ପର୍ବ ‘ଗୁଡିଚଗା’ ଯାହା ରବିବାର ସକାଳରୁ ଅପରାହ୍ନ ଯାଏଁ ମହାସମାରୋହରେ ପାଳନ କରାଯାଇଥାଏ । କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧିନସ୍ଥ ପୋଟେସ ଓ ହାରାମାଳ ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣ କେନ୍ଦୁଗୁଡ଼ା ଠାରେ ଗୁଡ଼ିଚଗା ପର୍ବ ମହାସମାରୋହରେ ପାଳିତ ହେଇଯାଇଛି। ପୋଟେସ ଗ୍ରାମର ଗୁଡ଼ିଚଗା ପର୍ବରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ବିଜୟ ପଣ୍ଡା , ମନୋଜ ଶର୍ମା, ସୁଶୀଲ ଜୈନ , ଘନ ନାଏକ , ସୁବାସ ହଂସ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ପୋଟେସ ଗ୍ରାମର ଗାଁ ଗଉନ୍ତିଆ ଚନ୍ଦ୍ର ମାଝୀ, ଗୁର୍ମେ ବାଲସିଂ ମାଝୀ, ସଭାପତି ଅଭିମନ୍ୟୁ ବାଗ , ସଂପାଦକ ଶରତ ସୁନାନୀ ତଥା ଗ୍ରାମବାସୀ ସହଯୋଗ କରୁଛନ୍ତି । ସେହିପରି ବ୍ରାହ୍ମଣ କେନ୍ଦୁଗୁଡ଼ା ଠାରେ ସରପଞ୍ଚ ସୁଶୀଳା ଦୁର୍ଗା , ସଭାପତି ଲଳିତ ମୋହନ ଠାକୁର , ସଂପାଦକ ସୌମ୍ୟ ରଞ୍ଜନ ଠାକୁର , କାର୍ଯ୍ୟକାରି ସଭାପତି ସୁରେନ୍ଦ୍ର ସୁନାନୀ, ଗାଁ ପୁଝାରୀ ଅଭିମନ୍ୟୁ ମାଝୀ, ଗଉନ୍ତିଆ ମାଧବ ଠାକୁର ଓ ଗ୍ରାମବାସୀ ସହଯୋଗ କରିଛନ୍ତି । ଏହି ଗୁଡିଚଗା ପର୍ବ ପାଇଁ ନିକଟସ୍ଥ ପଡୋଶୀ ଗ୍ରାମର ସମସ୍ତ ଗାଁକୁ ନିମନ୍ତ୍ରଣ କରାଯାଇଥାଏ । ଗୁଡିଚଗା ପର୍ବରେ ସାମିଲ ହେବା ପାଇଁ ନିମନ୍ତ୍ରଣ ରକ୍ଷାକରି ନିଜ ସାଧ୍ୟ ମୁତାବକ ବରଣୀ ନେଇ ନିଜ ଦଳ ବଳ ନେଇ ମାଟିଗୁଡି ଠାରେ ପହଞ୍ଚିଥାନ୍ତି। ଗୁଡିଚଗା ଗାଁରେ ପହଞ୍ଚିବା ପରେ ଅତିଥିଙ୍କ ସେବା ପାଇଁ ମହିଳାମାନେ ଗୋଡ ଧୋଇଦେଇ ବନ୍ଦାପନା କରି ପାଛୋଟି ନେଇଥାନ୍ତି । ଏହାପରେ ଯୁବକମାନେ ଏକ ଖଟିଆରେ ଅତିଥିଙ୍କୁ ବୋହି ଗୁଡି ପରିକ୍ରମା କରିଥାନ୍ତି। ଏହାପରେ ଗୁଡି ଭିତରେ ବସି ଭାବର ଆଦାନ ପ୍ରଦାନ ସହ ବିଭିନ୍ନ ଉପଚାରରେ ହେଉଥିବା ପୂଜାରେ ସାମିଲ ହେଇଥାନ୍ତି। ଦିନ ତମାମ ଏହି ପର୍ବ ଚାଲିଥାଏ । ଗରୁମେଙ୍କ ଦେହରେ ଦେବୀଙ୍କ କାଳସୀ ଲାଗି ପର୍ବ ଆୟୋଜନର ବିଧି ନେଇ ବୁଝାଇଥାନ୍ତି । ଗ୍ରାମରେ ହସଖୁସି ମଧ୍ୟରେ ଏହି ପର୍ବ ପାଳିତ ହୋଇଯାଇଛି। ଏହି ପର୍ବ ପାଳନ ପାଇଁ ଗ୍ରାମବାସୀ ସହଯୋଗ କରୁଛନ୍ତି।
।