
ଭବାନୀପାଟଣା- ୬/୧୧ ମା ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ଏନ୍ ଏସ୍ ଏସ୍ ବ୍ୟୁରୋ ତରଫରୁ କଳାହାଣ୍ଡିର ୪ ଜଣ ଛାତ୍ରଛାତ୍ରୀ ଚୟନ ହୋଇ ପୂର୍ବାଞ୍ଚଳ ପ୍ରିଆରଡି ପ୍ୟାରେଡ୍ ପାଇଁ ଆସାମ ଗସ୍ତ କରିଛନ୍ତି। ଆସାମର ଗୌହାଟି ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଶିବିର ପାଇଁ ମୋଟ ୧୦ ଟି ରାଜ୍ୟର ୨୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ରାଉରକେଲା ମ୍ୟୁନିସିପାଲିଟି କଲେଜରେ ରାଜ୍ୟସ୍ତରୀୟ ପ୍ରିଆରଡି ପ୍ୟାରେଡ୍ ଚୟନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ୧୦ ଟି ରାଜ୍ୟର ସମୁଦାୟ ୨୦୦ ଜଣ ଏନ୍ ଏସ୍ ଏସ୍ ଛାତ୍ରଛାତ୍ରୀ ଭାଗ ନେଇଥିଲା ବେଳେ ୫୨ ଜଣ ଛାତ୍ରଛାତ୍ରୀଙ୍କୁ ଆନ୍ତଃରାଜ୍ୟ ସ୍ତରୀୟ ଶିବିର ଲାଗି ଚୟନ କରାଯାଇଛି। କଳାହାଣ୍ଡିରୁ ମା ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ଛାତ୍ର ବିଶ୍ବଜିତ ବିଶି, କେସିଙ୍ଗା ମହାବିଦ୍ୟାଳୟରୁ ଖୁସ୍ କୁମାର ମହାନନ୍ଦ, ପଞ୍ଚାୟତ ସମିତି କଲେଜ, କୋକସରାରୁ ରିଶମା ବାରିକ ଓ ସରକାରୀ ମହିଳା ମହାବିଦ୍ୟାଳୟ, ଭବାନୀପାଟଣାରୁ ଶିବାନୀ ବାଗ ପ୍ରମୁଖ ଚୟନ ହୋଇଥିଲେ। ଆସାମରେ ଆନ୍ତଃରାଜ୍ୟ ପ୍ରିଆରଡି ପ୍ୟାରେଡ୍ ପାଇଁ କଳାହାଣ୍ଡିରୁ ୪ ଜଣ ଚୟନ ହୋଇଥିବାରୁ ମା ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଡ଼. ନିବେଦିତା ନାଥ, କୁଳସଚିବ ପିତାମ୍ବର ଭୋଇ, ଉପ କୁଳସଚିବ ମେଜର ଡ଼. ଜୟଦେବ ସାହୁ ଏବଂ ଏନ୍ ଏସ୍ ଏସ୍ ବ୍ୟୁରୋ ତଥା ସଂଯୋଜକ ଡ. ଚିତ୍ତରଞ୍ଜନ ଖୁଣ୍ଟିଆ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।