କଳାହାଣ୍ଡି କରଣ ସମାଜ ପକ୍ଷରୁ ଚିତ୍ରଗୁପ୍ତ ପୂଜା

ଭବାନୀପାଟଣା -୭/୧୧ କଳାହାଣ୍ଡି ଜିଲ୍ଲା କରଣ ସମାଜ ପକ୍ଷରୁ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ପୂଜା ଓ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସନ୍ଧ୍ୟା ୬ ଟା ରେ ସମାଜର ମହିଳାମାନେ ଏକ ବିରାଟ ଶୋଭାଯାତ୍ରାରେ ପବିତ୍ର କଳସ ସହ ଭବାନୀପାଟଣା ସହର ପରିକ୍ରମା କରି ପୂଜାସ୍ଥଳକୁ ଆସିଥିଲେ। ମୁଖ୍ୟ ଉପଦେଷ୍ଟା କାଳୀ ପ୍ରସାଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସମାଜର ସଭାପତି ରାମ ଶଙ୍କର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ନର୍ଲା ବିଧାୟିକା ମନୋରମା ମହାନ୍ତି ଓ ସମ୍ମାନୀତ ଅତିଥି ରୂପେ ଟିଟିଲାଗଡ଼ କରଣ ସମାଜର ସଭାପତି ଦୟାସାଗର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲା ବେଳେ କରଣ ସମାଜ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସଭା ପ୍ରାରମ୍ଭରେ ଲଳିତ ପଟ୍ଟନାୟକ ଓ ସୁଶ୍ରୀ ମହାନ୍ତି ସ୍ବାଗତ ସଙ୍ଗୀତ ଗାନ କରିଥିଲା ବେଳେ ଅଜିତ ପଟ୍ଟନାୟକଙ୍କ କନ୍ୟା ଅନ୍ବିତା ଆରାଧନା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ସଭା ଆରମ୍ଭରେ ଦିବଂଗତ ସଭ୍ୟ/ ସଭ୍ୟାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୧ ମିନିଟ୍ ନିରବ ପ୍ରାର୍ଥନା କରାଯିବା ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହି ସଭାରେ କାଳୀ ପ୍ରସାଦ ପଟ୍ଟନାୟକ, ପ୍ରଦୀପ ପଟ୍ଟନାୟକ ମହିଳା ମଣ୍ଡଳ ସଭାନେତ୍ରୀ ସୁଶ୍ରୀ ସବିତା ପଟ୍ଟନାୟକ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତି ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। ଦିବ୍ୟାଙ୍ଗ ଛାତ୍ରୀ କୁମାରୀ କଳାଶ୍ରୀ ଦାସଙ୍କୁ ନାର୍ଲା ବିଧାୟିକା ଶ୍ରୀମତୀ ମହାନ୍ତି ପୁରସ୍କାର ବିତରଣ କରିଥିଲେ। ପରୀକ୍ଷାରେ କୁମାରୀ ରାଣୀ ରଞ୍ଜିତା ପଟ୍ଟନାୟକ ଓ ମେଡ଼ିକାଲରେ କୃତିତ୍ୱ ଅର୍ଜନ କରିଥିବା ଆସ୍ତିକରାଜ ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଥିଲା। ଏଥିସହ ନୁପୁର ପଟ୍ଟନାୟକ, ଶକୁନ୍ତଳା ପଟ୍ଟନାୟକ, ଗୌର ଦାସ, ଲୋକନାଥ ପଟ୍ଟନାୟକ ଅନ୍ୟନ୍ୟ ମହାନ୍ତି, ଉମାଚରଣ ମହାନ୍ତି, ଅଂଶୁମାନ କାନୁନଗୋ, ସତ୍ୟ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ସମାଜସେବୀ ଓ ସ୍ବେଛାସେବୀ ମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହାପରେ ମୁଖ୍ୟ ଅତିଥି ବିଧାୟିକା ଶ୍ରୀମତୀ ମହାନ୍ତି ତାଙ୍କ ଅଭିଭାଷଣରେ ସମାଜକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲା ବେଳେ ସମ୍ମାନିତ ଅତିଥି ସମାଜର ବିଭିନ୍ନ କାର୍ଯ୍ୟକଳାପ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ। ସଭା ଶେଷରେ ଯୁବ ସମାଜର ଆବାହକ ପ୍ରଦୀପ କୂମାର ଦାସ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *