କେସିଙ୍ଗା- ୩/୧୧ ଆଜି କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ମିନି ଷ୍ଟାଡିୟମ ପାର୍ଶ୍ଵ ଏକ ସରକାରୀ ଜାଗାରୁ ଜନୈକ ବ୍ୟକ୍ତି ଦିନ ଦ୍ବିପହରରେ ବେଆଇନ ଭାବେ ମାଟି ଖୋଳି ନେଉଥିବା ସମ୍ବନ୍ଧରେ ଜଣେ ଗଣମାଧ୍ୟମ ପ୍ରତିନିଧି ଜିଲ୍ଲା ଖଣିଜ ଉପ ନିର୍ଦ୍ଦେଶକଙ୍କୁ ଜଣାଇଥିଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ନନେବା ପରିତାପର ବିଷୟ ହୋଇଛି। ଆଜି ପୂର୍ବାହ୍ନରେ ଉକ୍ତ ଗଣମାଧ୍ୟମ ପ୍ରତିନିଧି ଜଣେ ବ୍ୟକ୍ତି ଜେସିବି ଯୋଗେ ସ୍ଥାନୀୟ ମିନି ଷ୍ଟାଡିୟମ ନିକଟ ସରକାରୀ ଜାଗାରୁ ବେଆଇନ ଭାବେ ମାଟି ଖୋଳି ଟ୍ରାକ୍ଟରରେ ବୋହି ନେଉଥିବା ନେଇ ଫୋନ ଯୋଗେ ଜିଲ୍ଲା ଖଣି ଉପନିର୍ଦେଶକ ବିଶ୍ବନାଥ ସୋରେନଙ୍କୁ ଖବର ଦେଇଥିଲେ। ଏହାପରେ ବିଭାଗୀୟ ଉପନିର୍ଦେଶକ ଶ୍ରୀ ସୋରେନ କହିଥିଲେ ଯେ ତୂମେ ଲୋକେସନ୍ ପଠାଅ, ମୁଁ ତା’ର ବ୍ୟବସ୍ଥା କରୁଛି କହି ହ୍ବାର୍ଟସ ଆପ୍ ରେ କେବଳ ଆଫ୍ଟର ଭିଜିଟ୍ ଲେଖି ଆଉ ଆସିଲେ ନାହିଁ କି କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହଁ। ସେହିଭଳି ଆଉ ଜଣେ ଗଣମାଧ୍ୟମ ପ୍ରତିନିଧି ଏ ସମ୍ପର୍କରେ ତାଙ୍କୁ ୩/୪ ଥର ଫୋନ କରିବା ପରେ ୪.୧୨ ରେ ଶ୍ରୀ ସୋରେନଙ୍କ ଫୋନରୁ ଏକ କଲ୍ ଉକ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟକୁ ଆସିଥିଲା। ସେଥିରେ ସେ କହିଥିଲେ ଯେ ଆମ ପାଖରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନାହାନ୍ତି। ଯେଉଁ ୩ ଜଣ ଏହି ଅଫିସରେ କାର୍ଯ୍ୟରତ ଅଛନ୍ତି, ତା ମଧ୍ୟରୁ ଉପନିର୍ଦେଶକ ୬ ଦିନ ହେଲା ଏକ କାର୍ଯ୍ୟରେ ଯାଇଛନ୍ତି ଏବଂ ଆର ଜଣଙ୍କୁ ବେଆଇନ କାର୍ଯ୍ୟସ୍ଥଳକୁ ପଠାଇଲେ ସେ ଠିକ୍ ଭାବରେ ରିପୋର୍ଟିଂ କରିପାରୁନାହିଁ କି ରିପୋର୍ଟ ଦେଇପାରୁ ନାହଁ। ବେଳେ ବେଳେ କେବଳ ଘଟଣାସ୍ଥଳ ଦେଖି ଫେରିଆସୁଛି। ଆଜି ୧୦ ଟା ସମୟରୁ ରିପୋର୍ଟିଂ କରିବାକୁ ଯାଇଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଫେରିନାହିଁ। ଅନ୍ୟପକ୍ଷରେ ବର୍ତ୍ତମାନ ଆମ ଉପରେ ମାଫିଆଙ୍କ ପକ୍ଷରୁ ଆକ୍ରମଣ ଆରମ୍ଭ ହୋଇଗଲାଣି। ତେଣୁ ଆମେ ପୋଲିସର ବିନା ସହାୟତାରେ କେଉଁଠିକୁ ଯାଉନାହୁ୍ଁ। ପୋଲିସର ସହାୟତା ପାଇଁ ଆମେ ଯେଉଁଠିକୁ ତଦନ୍ତ କରିବାକୁ ଯିବୁ ତା’ର ଗୋଟିଏ ଦିନ ପୂର୍ବରୁ ପୋଲିସକୁ ଚିଠି କରିବାକୁ ପଡୁଛି। ତେଣୁ ଆମେ କ’ଣ କରିବୁ ବୋଲି କହି ଅସହାୟତା ପ୍ରକାଶ କରିଥିଲେ। ତେଣୁ ରାଜ୍ୟ ସରକାର ଜିଲ୍ଲାର ଏହି ଖଣି ବିଭାଗ କାର୍ଯ୍ୟାଳୟକୁ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନିଯୁକ୍ତି ଦେବା ସହ ସେମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ଦାବି ହେଉଛି।