
କେସିଙ୍ଗା- ୧୮/୨ ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାରେ ଅନ୍ୟ ବର୍ଷ ତୁଳନାରେ ଧାନ ଉତ୍ପାଦନ ବୃଦ୍ଧି ପାଇଛି। ଚଳିତ ବର୍ଷ ଚାଷୀ ବହୁ ବାଧାବିଘ୍ନର ସମ୍ମୁଖୀନ ହେବା ସତ୍ବେ ସବୁ ବର୍ଷ ରେକର୍ଡକୁ ଭାଙ୍ଗିଛି। ବରଗଡ଼ ପରେ ଏହି ଜିଲ୍ଲା ଏହି ବର୍ଷ ୬୧ ଲକ୍ଷ ୮୯ ହଜାର କୁଇଣ୍ଟାଲ ଧାନ କିଣା ହୋଇଥିବାରୁ ରାଜ୍ୟର ଦୂତୀୟ ବୃହତ ଧାନ ଉତ୍ପାଦନକାରୀ ଜିଲ୍ଲା ଭାବରେ ପରିଗଣିତ ହୋଇଛି। ଗର ୧୦ବର୍ଷର ହିସାବକୁ ଦେଖିଲେ ପ୍ରତ୍ୟେକ ବର୍ଷ ଏହାର ଉତ୍ପାଦନ ବଢ଼ିବାରେ ଲାଗିଛି। ଗତବର୍ଷ ଠାରୁ ଏଥର ପ୍ରାୟ ୪ଲକ୍ଷ ଧାନ ଅଧିକ କିଣା ହୋଇଛି। ଯାହା ଜିଲ୍ଲା ପାଇଁ ଏକ ଶୁଭଙ୍କର ବିଷୟ। ଇନ୍ଦ୍ରାବତୀ ଜଳସେଚନ ବ୍ୟବସ୍ଥା ଓ ଅନ୍ୟାନ୍ୟ ଯୋଜନାରେ ଜଳସେଚନ ପାଇଁ ରବିକୁ ମିଶାଇଲେ ଧାନର କିଣାର ପରିମାଣ ପ୍ରାୟ ୮୫ ଲକ୍ଷ କୁଇଣ୍ଟାଲରୁ ଅଧିକ ହେବ ବୋଲି ଆକଳନ କରାଯାଉଛି। କିଣା ଧାନକୁ ଛାଡି ସବୁ ଧାନ ମିଶାଇଲେ ପ୍ରାୟ ୧ କୋଟି କୁଇଣ୍ଟାଲରୁ ଅଧିକ ଧାନ ଉତ୍ପାଦନ ହେଉଥିବା ଜଣାପଡିଛି। ହେଲେ ସେହି ଅନୁସାରେ ମଣ୍ଡିର ବ୍ୟବସ୍ଥା ଠିକ ନ ରହିବା, ଏବେବି ଖୋଲା ଆକାଶ ତଳେ ମଣ୍ଡି ଚାଲିବା ଏବଂ ଚାଷୀ କଟନୀ ଛଟନୀର ଶିକାର ହେଉଥିବାରୁ ଚାଷୀ ହତାଶ ହୋଇପଡିଛି । ଏସବୁ ବନ୍ଦ ହେଲେ ଧାନ ଉତ୍ପାଦନର ପରିମାଣ ଆହୁରି ଦେଢ଼ ଗୁଣ ବଢିଯିବ ବୋଲି କହାଯାଉଛି। ଏମିତି ବି ସମୟ ଆସିବ ଆଗାମୀ ଦିନରେ ରାଜ୍ୟରେ କଳାହାଣ୍ଡି ଏକ ନମ୍ବର୍ ଜିଲ୍ଲା ବି ହୋଇପାରେ ବୋଲି ବିଶେଷଜ୍ଞ ମାନେ ଆକଳନ କରୁଛନ୍ତି।ସେହିପରି ଧାନ କିଣା ଓ ଚାଉଳ ସଂଗ୍ରହ ବ୍ୟବସ୍ଥାରେ ସରକାର ଏତେ ବର୍ଷ ପରେ ବି ଆର ଏମ୍ ସି ଓ ପେକ୍ସ କୁ ଲଗାଇ ସଫଳତା ପାଇ ପାରିନାହାନ୍ତି। ଏହି ଦୁଇ ସଂସ୍ଥା ଧାନ କିଣା ବାବଦରେ ବର୍ଷକୁ କୋଟି କୋଟି ଟଙ୍କା କମିଶନ ପାଇଲେ ବି ନିଜର ଭିତ୍ତିଭୂମି ଆଜିଯାଏ ଠିକ୍ କରିପାରି ନାହାନ୍ତି। ଫଳରେ ଚାଷୀ ଅଭାବୀ ବିକ୍ରୀର ଶିକାର ହେଲାବେଳେ ମିଲରଙ୍କ ନିୟନ୍ତ୍ରଣରେ ରହିଛି ସବୁ ଧାନ କିଣା ବ୍ୟବସ୍ଥା।