କଳାହାଣ୍ଡି ବନ ବିଭାଗର ଦୁର୍ନୀତିକୁ ନେଇ ହାଟରେ ପଡ଼ି ଦାଣ୍ଡରେ ଗଡୁଛି

କେସିଙ୍ଗା- ୧୭/୩ କଳାହାଣ୍ଡି ଜିଲ୍ଲା ବନ ବିଭାଗରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ବହୁ ଅଭିଯୋଗ ହୋଇଆସୁଛି। ଗତ କିଛିଦିନ ତଳେ ଜୟପାଟଣା ରେଞ୍ଜରେ ପ୍ରଥମ କରି ଇଡି ପଶି ଅଢେଇ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ତଦନ୍ତରୁ ଜାଣିପାରିଥିଲା। ଏହି ଘଟଣାରେ ଇଡି ଫରେଷ୍ଟ ଗାର୍ଡକୁ ଉଠାଇ ନେଇଥିବା ବେଳେ ତାଙ୍କ ଘରୁ ବ୍ୟାଘ୍ର ଚମଡା ବି ଜବତ କରିଥିଲେ। ଗତ କିଛିଦିନ ତଳେ ଜିଲ୍ଲା ଗସ୍ତରେ ଆସିଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ତଥା କଳାହାଣ୍ଡି ଜିଲ୍ଲା ବିଜେପି ପ୍ରଭାରୀ ଗଣେଶ ରାମ ଖୁଣ୍ଟିଆଙ୍କ ଏକ ସାମ୍ବାଦିକ ସମ୍ମିଳନୀରେ ଅନେକ ଗଣମାଧ୍ୟମ ପ୍ରତିନିଧି କଳାହାଣ୍ଡି ବନ ବିଭାଗରେ ବିଭିନ୍ନ ଦୁର୍ନୀତି ହେଉଥିବା ନେଇ ପ୍ରଶ୍ନ କରିଥିଲେ। ଏବେ ଖୋଦ ଶାସକ ଦଳ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଯୋଶୀ କଳାହାଣ୍ଡି ଜିଲ୍ଲାରେ କାମ୍ପା, ମନେରେଗା ଓ ରାଜସ୍ୱ ଯୋଜନାରେ ଯେଉଁ ବନୀକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି, ସେଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି। ଏପରିକି ବିଭାଗକୁ ଦିଆଯାଇଥିବା ଅନୁଦାନରେ ଯେତିକି ଗଛ ବଞ୍ଚିବା କଥା ତାହା ବଞ୍ଚି ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ସରକାର ଗଛକୁ ବଞ୍ଚେଇବା ପାଇଁ ୫ବର୍ଷ ପର୍ଯ୍ୟନ୍ତ ଅନୁଦାନ ଦେଉଛନ୍ତି। ହେଲେ କାର୍ଯ୍ୟକାରୀ ହେଉନାହିଁ। ସେ ବାବଦରେ ଆସୁଥିବା ଅର୍ଥ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କ ପକେଟକୁ ଯାଉଛି। ଅନୁଦାନ ଅନୁଯାୟୀ ଗଛର ଏକ ହିସାବ ଉଚ୍ଚସ୍ତରୀୟ କମିଟୀ ଦ୍ୱାରା ହେଉ ବୋଲି ବିଧାନସଭାରେ ଜଙ୍ଗଲ ମନ୍ତ୍ରୀଙ୍କ ନିକଟରେ ଦାବୀ କରିଛନ୍ତି। ଜଙ୍ଗଲ ମନ୍ତ୍ରୀ ସବୁ ଦୁର୍ନୀତିର ତଦନ୍ତ ହେବ ବୋଲି କହିଛନ୍ତି। ବହୁ ଦିନରୁ ଅନେକ ଅଭିଯୋଗ ହେଉଥିଲେ ମଧ୍ୟ ବିଧାନସଭାରେ ଅଭିଯୋଗ ହେଉ ନଥିଲା। ଏଥର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଯୋଶୀ ଏଭଳି ଅଭିଯୋଗ ଆଣି ବନ ବିଭାଗକୁ ହରଡ଼ଘଣାରେ ପକେଇ ଦେଇଛନ୍ତି। ବିଧାୟକଙ୍କ ପ୍ରଶ୍ନ ପରେ କଳାହାଣ୍ଡି ବନ ବିଭାଗରେ ହଇଚଇ ସୃଷ୍ଟି ହୋଇଛି। ବିଭାଗ ଉଚ୍ଚସ୍ତରୀୟ ତଦନ୍ତ ଆଶଙ୍କାରେ ଏବେ କାଗଜ ପତ୍ର ଠିକ୍ କରିବାରେ ଲାଗି ପଡିଥିବା ଜଣାପଡିଛି। ବିଧାୟକଙ୍କ ଏଭଳି ପ୍ରଶ୍ନ ପରେ ଜିଲ୍ଲାରେ ବହୁ ଦିନରୁ ବନୀକରଣ ନାଁରେ ତଳୁ ଉପର ପର୍ଯ୍ୟନ୍ତ ଲୁଟୁଥିବା କର୍ମଚାରୀ ଓ ଅଧିକାରୀ ମାନଙ୍କ ମୁଖା ଖୋଲି ଦେଇଛି। ହେଲେ ଆଗକୁ ସରକାର ଏହି ପ୍ରଶ୍ନକୁ କେତେ ଗୁରୁତର ନେଇ ତଦନ୍ତ କରାଉଛନ୍ତି, ତାହା ଦେଖିବାକୁ ବାକି ରହିଲା। ଅପରପକ୍ଷରେ ଉଚ୍ଚସ୍ତରୀୟ ତଦନ୍ତ ହେବା ପୂର୍ବରୁ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଥିବାରୁ ପ୍ରମାଣ ନଷ୍ଟ ହେବାର ଆଶଂକା ରହିଛି। ଏ ନିଆଁ ଜାଣିକରି ଲଗାଯାଉନି ତ ବୋଲି ସାଧାରଣରେ ପ୍ରଶ୍ନ ଉଙ୍କି ମାରିଛି।

Leave a Reply

Your email address will not be published. Required fields are marked *