କାଠ ମାଫିଆ, ମକା ଦଲାଲ ସହିତ ବନ ବିଭାଗ ବସିଛି ମିତ, ଏପଟେ ଜଙ୍ଗଲ ସଫା!

ଧର୍ମଗଡ଼ -୧୮/୧୦ ମକା ଦଲାଲ, କାଠ ମାଫିଆ ଓ ବନ ବିଭାଗ କର୍ତ୍ତୃପକ୍ଷଙ୍କ ସଲାସୁତୁରାରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ମଧ୍ୟସ୍ଥଳିରେ ଅବସ୍ଥିତ ୧୮ କିମି ବ୍ୟାସାର୍ଦ୍ଧ ପରିମିତ ସାହାଜଖୋଲ ଜଙ୍ଗଲ ଏବେ ପଦା ହେବାକୁ ବସିଲାଣି। କେନ୍ଦ୍ର ଓ ରାଜ୍ୟ ସରକାର କାମ୍ପା ଓ ମୋ ଜଙ୍ଗଲ ଯୋଜନାରେ ପରିବେଶ ସୁରକ୍ଷା ଓ ଜଙ୍ଗଲ ସୃଷ୍ଟି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବିଭାଗୀୟ ଅସାଧୁ ଅଧିକାରୀ ଓ କର୍ମଚାରୀଙ୍କ ଯୋଗୁଁ ସରକାରଙ୍କ ଯୋଜନା ଫେଲ ମାରିବାରେ ଲାଗିଛି। କାଠ ମାଫିଆ, ମକା ଦଲାଲ ମାନେ ଏହି ଜଙ୍ଗଲ ଉପରେ ଲୋଲୁପ ଦୃଷ୍ଟି ପକାଇ ପ୍ରତ୍ୟେହ ଜଙ୍ଗଲ ସଫା କରି ଚାଲିଥିଲେ ହେଁ ବନ ବିଭାଗ ଦେଖି ନ ଦେଖିଲା ପରି ନୀରବଦ୍ରଷ୍ଟା ସାଜିଛି। ଜଙ୍ଗଲ ସଫା ଯୋଗୁଁ ବନ୍ୟପ୍ରାଣୀମାନେ ଏବେ ଗାଁ ମୁହାଁ ହେବା ସହ ପରିବେଶ ପ୍ରଭାବିତ ହେବାରେ ଲାଗିଛି। ଅନ୍ୟପକ୍ଷରେ ମାଫିଆ ଓ ମକା ଦଲାଲମାନେ ଅବାଧରେ ଦିନ ଦ୍ବିପହରରେ ଜଙ୍ଗଲ ସଫା କରି ବେଶ ଲାଭବାନ ହେଉଛନ୍ତି। ଏଥିପ୍ରତି ଧର୍ମଗଡ ବନ ବିଭାଗର ଅଙ୍କୁଶ ନଥିବା ନେଇ ସାଧାରଣରେ ପ୍ରଶ୍ନ ଉଠୁଛି। ତେବେ ବିଗତ ଦିନରେ ବିଭିନ୍ନ ସ୍ବେଛାସେବୀ ସଂଗଠନ ପକ୍ଷରୁ ଅନେକ ଥର ଆନ୍ଦୋଳନ କରାଯାଇଥିଲା ବେଳେ ସଂପୃକ୍ତ ବିଭାଗ ପକ୍ଷରୁ କେବଳ ପ୍ରତିଶୃତ ଦେ଼ଇ ପରମୁହୁର୍ତ୍ତରେ କାଠ ମାଫିଆ ଓ ମକା ଦଲାଲଙ୍କ ସହିତ ସାଲିସ କରି ଦୀର୍ଘ ପରିମିତ ସାହାଜଖୋଲ ଜଙ୍ଗଲକୁ ସଫା କରିବାରେ ଲାଗିଛନ୍ତି। ଏକ ବିଶେଶ ସୂତ୍ରରୁ ଖବର ମିଳିଥିବା ଅନୁଯାୟୀ ଏହି ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଭିତରେ ପ୍ରାୟ ୧୨ ହଜାର ୯୮୯ ହେକ୍ଟର ଜମିରେ ମକାଚାଷ କରାଯାଇଥିବା ଅଞ୍ଚଳର ଲୋକେ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ତଥା ଭିଜିଲାନ୍ସ ବିଭାଗ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଜଙ୍ଗଲ ସୁରକ୍ଷା ପ୍ରତି ଧ୍ୟାନ ନ ଦେଲେ ଆଗାମୀ ଦିନରେ ବଡଧରଣର ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *