କିଆପଦର କସ୍ତୁରବା ବାଳିକା ହଷ୍ଟେଲରୁ ପ୍ରଧାନ ଶିକ୍ଷକ ଖାଦ୍ୟସାମଗ୍ରୀଚୋରି କରିନେବା ଅଭିଯୋଗ

ଭବାନୀପାଟଣା-୨୪/୧୨ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କିଆପଦର କସ୍ତୁରବା ବାଳିକା ବିଦ୍ୟାଳୟର ଛାତ୍ରୀମାନଙ୍କ ରନ୍ଧାଖାଦ୍ୟ ପାଇଁ ଆସିଥିବା ସାମଗ୍ରୀ ମଧ୍ୟରୁ ପ୍ରଧାନ ଶିକ୍ଷକ ତାଙ୍କ କାରରେ ନେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଚୋରି ସାମଗ୍ରୀ ମଧ୍ୟରେ ୨ ବସ୍ତା ଆଳୁ, ୧ ବସ୍ତା ପିଆଜ,୨ ପେଟି ଅଣ୍ଡା, ତେଲ, ଡାଲି ସହିତ ବିଭିନ୍ନ ମସଲା ପ୍ୟାକେଟ୍ ଥିବା ଜଣାପଡିଛି। ଗତ ରବିବାର ଛୁଟିଦିନ ଥିବାବେଳେ ଛାତ୍ରୀମାନେ ଘରକୁ ଯାଇଥିବାରୁ ଏହାର ସୁଯୋଗରେ ସ୍କୁଲ ପରିଚଳିକା ପ୍ରଧାନ ଶିକ୍ଷକଙ୍କୁ ଏହିସବୁ ସାମଗ୍ରୀ ଦେଇଥିଲେ। ପ୍ରଧାନ ଶିକ୍ଷକ ସାମଗ୍ରୀଗୁଡିକୁ ତାଙ୍କ କାର୍ ରେ ନେଉଥିବା ବେଳେ ଗ୍ରାମର ଏସଏଚଜି ମହିଳା ଓ କିଛି ଗ୍ରାମବାସୀ ଗାଡିଟିକୁ ଅଟକାଇବାରୁ ଗାଡ଼ିଟି ଫେରାର ମାରିଥିଲା। ଗ୍ରାମବାସୀମାନେ କାର୍ ପିଛା କରି କର୍ଲାପାଟ ଅଭୟାରଣ୍ୟ ନିକଟରେ ଧରିଥିଲେ। ଏଭଳି ପରସ୍ଥିତି ଦେଖି ପ୍ରଧାନ ଶିକ୍ଷକ ଚତୁରତା ସହ ସଫେଇ ଦେଇ କହିଥିଲେ ଯେ ଛୁଟି ଥିବାରୁ ସାମଗ୍ରୀ ନଷ୍ଟ ହେବା ଆଶଙ୍କାରେ ଏହାକୁ ଦୋକାନରେ ଦେଇ ଛୁଟି ପରେ ଭଲ ସାମଗ୍ରୀ ପୁଣି ହଷ୍ଟେଲକୁ ଫେରାଇ ଆଣିଥାନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଏହି ଆବାସିକ ବିଦ୍ୟାଳୟରେ ଥିବା ବିଭିନ୍ନ ଅବ୍ୟବସ୍ଥା ଓ ଅନେକ ସମୟରେ ନିର୍ଯାତନା ଦିଆଯାଉ ଥିବା ନେଇ କିଛିଦିନ ତଳେ ଛାତ୍ରୀମାନେ ୨୦ କିମି ଦୂର ଚାଲି ଚାଲି ଆସି ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ତେବେ ଏସବୁ ଅନିୟମିତତାର ମୁଖ୍ୟ କାରଣ ହେଉଛି, ଏହି ବ୍ଲକଟି ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଜିଲ୍ଲା ସଦରମହକୁମାରେ ଥିବା ବିଭାଗୀୟ ମୁଖ୍ୟ ଅଧିକାରୀ ମାନେ ଏଠାକୁ କାଁ ଭାଁ ଆସି ସୋସିଆଲ ମିଡିଆରେ ଛାଡି ବାହାବା ନେଇଥାନ୍ତି ଓ ଆଉ ଆସିନଥାନ୍ତି। ଏହାର ସୁଯୋଗ ନେଇ ଏହି ଦୁର୍ଗମ ଅଞ୍ଚଳରେ ନିଯୁକ୍ତ ଅଧିକାରୀ ଓ କର୍ମଚାରୀ ମାନେ ଦୁର୍ନୀତି କରିବାକୁ ପଛେଇ ନଥାନ୍ତି। ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଇ ପ୍ରତିକାର କରିବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *