
ଭବାନୀପାଟଣା-୧୪/୧୧ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ତହସିଲ ଅଧିନସ୍ଥ ତେଲନଦୀ ବାଲି ଘାଟରୁ ବେଆଇନ ଭାବେ ଦିନ ଦ୍ବିପହରେ ବେଧଡକ ବାଲି ଉଠାଣ ହେଉଥିଲେ ମଧ୍ୟ ପ୍ରଶାସନ ନିରବ। ଫଳରେ ଲିଜ୍ ଧାରୀ ମାଲାମାଲ ହେଉଥିଲା ବେଳେ ସରକାରଙ୍କ ବ୍ୟାପକ ରାଜସ୍ବ ହାନି ଘଟୁଛି। ସୂଚନାରୁ ପ୍ରକାଶ ଯେ ଲିଜ୍ ଧାରୀ ଜଣକ ନିୟମକୁ ବେଖାତିରି କରି ଯେତିକି ଲିଜ୍ ପାଇଛି ପ୍ରୋକିଲିଁ, ଜେସିପି ଏବଂ ହାଇଓ୍ବା ଲଗାଇ ତାଠାରୁ ଅଧିକ ବାଲି ଉଠାଣ କରୁଛି। ଏହି ବାଲି ଜୁନାଗଡ଼, ଭବାନୀପାଟଣା, ଜୟପାଟଣା ନବରଙ୍ଗପୁର ଏବଂ ରାଜ୍ୟ ବାହାରକୁ ଚାଲାଣ ହେଉଛି। ଗୋଲାମୁଣ୍ଡା ବ୍ଲକରେ ୧୫ ରୁ ଉର୍ଦ୍ଧ୍ବ ବାଲିଘାଟ ଲିଜ୍ ର ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ଲିଜ୍ ଧାରୀମାନେ ଏବେବି ବେଆଇନ ଭାବେ ବାଲି ଉଠାଣ କରୁଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ କଳାହାଣ୍ଡି ଜିଲ୍ଲା ଖଣି ବିଭାଗ ଉପ ନିର୍ଦ୍ଦେଶକଙ୍କୁ ଜନୈକ ଗଣମାଧ୍ୟମ ପ୍ରତିନିଧି ପଚାରିବାରୁ ଯଦି ବାଲି ଅନ୍ୟ ଜିଲ୍ଲା କିମ୍ବା ରାଜ୍ୟକୁ ଚୋରାଚାଲାଣ ହେଉଛି ଏହାର ତଦନ୍ତ କରି ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। ଏହିପରି କଳାହାଣ୍ଡି ଏବଂ ବଲାଙ୍ଗିର ମଧ୍ୟସ୍ଥଳିରେ ଥିବା ତେଲନଦୀରୁ ପ୍ରତ୍ୟେକ ଦିନ ବେଆଇନ ଭାବେ ବଡ ବଡ ହାଇଓ୍ବା ଯୋଗ କେସିଙ୍ଗା ସହର ମଧ୍ୟ ଦେ ବାଲି ଚାଲାଣ ହେଉଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଯେତେ ଖବର ଦେଲେ ସୁଦ୍ଧା ବିଭାଗ ନିଦାବିଷ୍ଣୁ ସାଜିଛି। ତେଣୁ ବାଲି ମାଫିଆମାନେ ବେଫିକର ରହୁଥିବା ବେଳେ ଓଲଟା ଖବରଦାତାଙ୍କୁ ଜୀବନରେ ମାରି ଦେବାକୁ ମଧ୍ୟ ଧମକ ଦେଉଛନ୍ତି। ଏପରିକି ଦୋଅକ୍ଷରୀ ଭାଷାରେ ଗାଳି ଦେଇ ତୁ ଯାହା କରିବାର ଅଛି କର, ମୋର କେହି କିଛି କରିପାରିବେନି ବୋଲି କହୁଛନ୍ତି। ଏଥିପାଇଁ ଜିଲ୍ଲା ଖଣି ଉପ ନିର୍ଦେଶକ ଦାୟୀ ବୋଲି ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।