
କେସିଙ୍ଗା- କଳାହାଣ୍ଡି ଜିଲ୍ଲାର ମୁଖ୍ୟଦ୍ବାର କୁହାଯାଉଥିବା କେସିଙ୍ଗା ସହରରେ ଥିବା ୪ ଟି ସରକାରୀ କାର୍ଯ୍ୟାଳୟ ଆସ୍ତେ ଆସ୍ତେ ବନ୍ଦ ହେବାକୁ ବସିଲାଣି। ଅଥଚ ଏଥିପ୍ରତି କାହାର ନଜର ନାହିଁ। କେଉଁ ଆବାହମାନ କାଳରୁ କେସିଙ୍ଗା ସହରରେ ବିଏସଏନଏଲ, ପିଡବ୍ଲଡି ( କୋଠାବାଡ଼ି ନିର୍ମାଣ), ଉଠା ଜଳସେଚନ, କ୍ଷୁଦ୍ର ଜଳସେଚନ ଅନୁବିଭାଗ ସହିତ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ଚାଲିଆସୁଛି। କିନ୍ତୁ ଉପରୋକ୍ତ ବିଏସଏନଏଲ, କୋଠାବାଡ଼ି ନିର୍ମାଣ, ଉଠା ଜଳସେଚନ ଓ କ୍ଷୁଦ୍ର ଜଳସେଚନ ଅନୁବିଭାଗ କାର୍ଯ୍ୟାଳୟ ଗୁଡିକର ମୁଖ୍ୟଗେଟ୍ ରେ ଅଧିକାଂଶ ସମୟ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ବିଏସଏନଏଲ କାର୍ଯ୍ୟାଳୟରେ ଜଣେ ମାତ୍ର କର୍ମଚାରୀ କାମ କରୁଥିବା ବେଳେ ଅନ୍ୟାନ୍ୟ ଅଧିକାରୀ ମାନଙ୍କ ଦେଖା ମିଳେନାହିଁ। ସେହିପରି ପିଡବ୍ଲଡି (କୋଠାବାଡ଼ି ନିର୍ମାଣ) ବିଭାଗ କାର୍ଯ୍ୟାଳୟ ପରିସରରେ ବିଭାଗୀୟ ଏସଡିଓ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ପାଇଁ ଅଫିସ ସହିତ ବାସଗୃହରେ ରହି ଏମାନେ କାର୍ଯ୍ୟ କରିଆସୁଥିବା ବେଳେ କିଛି ବର୍ଷ ହେଲା ଏଠାରେ କୈାଣସି ଅଧିକାରୀ ଶ୍ରେଣୀର କର୍ମଚାରୀଙ୍କ ଦେଖା ମିଳୁନାହିଁ କି କାର୍ଯ୍ୟାଳୟ ମଧ୍ୟ ସବୁଦିନ ଖୋଲାଯାଉ ନାହିଁ। କେବଳ ଜଣେ ପିଅନ ତା’ର ମନଇଚ୍ଛା ଆସି କେଉଁଦିନ ଅଫିସ ଖୋଲୁଛି ତ ଆଉ କେଉଁଦିନ ଆସୁନାହିଁ । ଏହିପରି ଉଠା ଜଳସେଚନ ବିଭାଗ କାର୍ଯ୍ୟାଳୟ ପରିସରରେ କନିଷ୍ଠ ଯନ୍ତ୍ରୀଙ୍କ ଅଫିସ୍ ସହ ଏକ ବାସଗୃହ ଥିଲାବେଳେ ଏଠାରେ ଜଣେ କନିଷ୍ଠ ଯନ୍ତ୍ରୀ ରହି କାର୍ଯ୍ୟ କରୁଥଲେ। କିନ୍ତୁ ଦୀର୍ଘବର୍ଷ ହେଲା ଏହି କାର୍ଯ୍ୟାଳୟ ବନ୍ଦ ହୋଇ ପଡ଼ିରହିଛି। ତେବେ ଏହି କାର୍ଯ୍ୟାଳୟର ଭଙ୍ଗା ଘରକୁ ଜଣେ ଲୋକ କବ୍ଜା କରି ସପରିବାରରେ ରହି ଆସୁଛନ୍ତି। ଆଉ ଅନ୍ୟ ଏକ ସରକାରୀ କାର୍ଯ୍ୟାଳୟର ଅବସ୍ଥା ମଧ୍ୟ ସମାନ ପରିସ୍ଥିତିରେ। ୨୬ ନଂ ଜାତୀୟ ରାଜପଥ ତଥା ବ୍ଲକ କାର୍ଯ୍ୟାଳୟ ନିକଟରେ ଥିବା କ୍ଷୁଦ୍ର ଜଳସେଚନ ଅନୁବିଭାଗ କାର୍ଯ୍ୟାଳୟ ପରିସରରେ ଏବେ ବି ଅଫିସ ସହିତ ବାସଗୃହ ରହିଛି। ଏଠାରେ ଜଣେ କନିଷ୍ଠ ଯନ୍ତ୍ରୀ ରହି କାର୍ଯ୍ୟ କରୁଥଲେ । ମାତ୍ର ବର୍ତ୍ତମାନ ଏହି କାର୍ଯ୍ୟାଳୟର ମୁଖ୍ୟ ଗେଟ୍ ରେ ତାଲା ଝୁଲୁଥିବା ଦେଖିବାକୁ ମିଳେ। ପ୍ରକୃତ ସତ୍ୟକଥା ହେଲା ଉପରୋକ୍ତ ୪ ସରକାରୀ କାର୍ଯ୍ୟାଳୟର ଅଧିକାରୀ ମାନେ ଜିଲ୍ଲା ସଦର ମହକୁମାରେ ରହିବାକୁ ପସନ୍ଦ କରୁଥିବା ବେଳେ ଏମାନେ କେସିଙ୍ଗାରେ ନରହି ଭବାନୀପାଟଣାରେ ରହିଆସୁଛନ୍ତି। ଅନ୍ୟପକ୍ଷରେ କେସିଙ୍ଗା ବ୍ଲକର ବହୁ କର୍ମଚାରୀ ମାନେ ହେଡ କ୍ବାଟରରେ ନରହି ଭବାନୀପାଟଣାରୁ ଯିବାଆସିବା କରୁଛନ୍ତି। ଏହା ଫଳରେ ଦୂରଦୂରାନ୍ତରୁ ଆସୁଥିବା ଲୋକମାନେ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନପାଇ ନିଜ କାର୍ଯ୍ୟ କରିନପାରି ହଇରାଣ ହରକତ ହୋଇ ଫେରିଯାଉଛନ୍ତି। ଏପରିକି ଶୁଣିବାକୁ ମିଳେ ଯେ କେସିଙ୍ଗା ଅଞ୍ଚଳର ଅନେକ ଚାଷୀ ନିଜ ଜମିରେ ଗଭୀର ନଳକୂପ ଖୋଳିବା ପାଇଁ ସଂପୃକ୍ତ ବିଭାଗ କାର୍ଯ୍ୟାଳୟରେ ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ବ ହେବ ଟଙ୍କା ଜମା କରିଥିଲେ ହେଁ ଆଜି ପର୍ଯ୍ୟନ୍ତ ସେମାନଙ୍କ ଜମିରେ ଗଭୀର ନଳକୂପ ଖୋଳାଯାଇ ପାରିନାହିଁ। ଏନେଇ ଟଙ୍କା ଜମା କରିଥିବା ଚାଷୀମାନେ ଭବାନୀପାଟଣା ଦୌଡି ଦୌଡି ନୟାନ୍ତ ହେଲେଣି ଅଥଚ ସେମାନଙ୍କ ଜମିରେ ଗଭୀର ନଳକୂପ ଖୋଳା ହୋଇପାରୁ ନାହିଁ। ସେହିପରି ଅନେକ ସରକାରୀ କର୍ମଚାରୀ ଭବାନୀପାଟଣାରୁ ଯିବାଆସିବା କରୁଥିବାରୁ ବିଭାଗୀୟ କାର୍ଯ୍ୟାଳୟକୁ ଠିକ୍ ସମୟରେ ନଆସି ପ୍ରାୟ ଏକ ଘଣ୍ଟା/ ଦେଢ଼ ଘଣ୍ଟା ବିଳମ୍ବରେ ପହଞ୍ଚୁଛନ୍ତି। ଏହି ସମସ୍ୟା ପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବୀ ହେଉଛି।
