କେସିଙ୍ଗା- ୨୩/୧୦ କେସିଙ୍ଗା ଏକ ବ୍ୟସ୍ତବହୁଳ ସହର ହୋଇଥିଲା ବେଳେ ସହର ମଧ୍ୟରେ ୨୬ ନଂ ଜାତୀୟ ରାଜପଥ ଯାଇଛି। କେସିଙ୍ଗା ସହର ଦେଇ ପ୍ରତ୍ୟେହ ଶହ ଶହ ଭାରୀଯାନ, କାର୍, ବସ୍ ଗୁଡ଼ିକ ଦୂର ଦୁରାନ୍ତ ସ୍ଥାନକୁ ଯାତାୟାତ କରୁଛି। କିନ୍ତୁ ଏହିସବୁ ଯାନଗୁଡ଼ିକ ଟ୍ରାଫିକ୍ ନିୟମ ନମାନି ଦ୍ରୁତଗତିରେ ଗାଡ଼ି ଚଳାଉଥିବା ବେଳେ ବାଇକ୍ ଚାଳକମାନେ ମଧ୍ୟ ଦ୍ରୁତଗତିରେ ଗାଡ଼ି ଚଳାଉଥିବା ଦେଖିବାକୁ ମିଳୁଛି। ହେଲେ ସ୍ଥାନୀୟ ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କ ଆନ୍ତରିକ ଅଭାବ ଯୋଗୁଁ କେସିଙ୍ଗାରେ ଦିନକୁ ଦିନ ଟ୍ରାଫିକ୍ ସମସ୍ୟା ବଢ଼ିବାରେ ଲାଗିଛି। ତେବେ କେସିଙ୍ଗାରେ ଟ୍ରାଫିକ୍ ସମସ୍ୟା ଦୂରୀକରଣ ପାଇଁ ଅନେକ ଥର ଏନ୍ଏସି, ଜାତୀୟ ରାଜପଥ ଓ ପୋଲିସ ପ୍ରଶାସନ ସହିତ ସହରର ବିଭିନ୍ନ ସଙ୍ଗଠନ, ଜନ ପ୍ରତିନିଧି, ବୁଦ୍ଧିଜୀବୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ବୈଠକ ହେଉଛି। ଏହି ବୈଠକରେ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ଅନେକ ପ୍ରସ୍ତାବ ପାରିତ ହେଉଛି। କିନ୍ତୁ କିଛିଦିନ ଗଲାପରେ ସବୁ ପ୍ରସ୍ତାବ ଫସର ଫାଟିଯାଉଛି । ଯାହାଫଳରେ କେସିଙ୍ଗାରେ ଟ୍ରାଫିକ୍ ସମସ୍ୟା ପୂର୍ବଭଳି ଲାଗିରହିଛି। ଏଣୁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ମିଳିତ ଭାବେ ଏଥିପ୍ରତି ଦୃଷ୍ଟି ଦେଇ ଏହାର ସମାଧାନ କରିବାକୁ ସାଧାରଣ ଜନତା ଦାବି କରିଛନ୍ତି।