କେସିଙ୍ଗା ଏନ୍ଏସି ସ୍ତରୀୟ କଳାହାଣ୍ଡି ଉତ୍ସବର ଘୁମୁରା- ୨୦୨୫ ଅନୁଷ୍ଠିତ

କେସିଙ୍ଗା ତା ୧୦. କେସିଙ୍ଗା ଏନଏସି ତରଫରୁ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳ ୮ ଘଣ୍ଟା ସ୍ଥାନୀୟ ବୁଢାଡ଼ଙ୍ଗର ମନ୍ଦିରରେ ପୂଜାର୍ଚ୍ଚନା କରି ଏକ ମଶାଲ ଯାତ୍ରା ଆନନ୍ଦ ଉଲ୍ଲାସର ସହିତ ମହାଆଡମ୍ବରରେ ଘୁମୁରା, ଆଦିବାସୀ ନୃତ୍ୟ ସହ ସହର ପରିକ୍ରମା ବେଳେ ଦୁଲୁକି ଉଠିଥିଲା ଜାତୀୟ ରାଜପଥ । ଏହି ଶୋଭାଯାତ୍ରାରେ ଅଧ୍ୟକ୍ଷ ନୃପରାଜ ଯାଦବ ମଶାଲ ଧରି ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ଥିତ ଖେଳପଡିଆ ବୁଢ଼ାରାଜା ମଞ୍ଚରେ ସ୍ଥାପନ କରିଥିଲେ। ଏହି ଅବସରରେ ସକାଳ ୯.୩୦ ରେ ଲୋକନୃତ୍ୟ, ଲୋକଗୀତ, ଝୋଟି,ହୁଳହୁଳି, ମୁରୁଜ,ଶଙ୍ଖ ଫୁଙ୍କା, କବିତା ପାଠୋତ୍ସବ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ୪ ଟାରେ ଓଡିଶାର ଲବ୍ଧ ପ୍ରତିଷ୍ଠିତ ସାଂସ୍କୃତିକ ଦଳ ଏବଂ କେସିଙ୍ଗା ସହରର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମାନ ପରିବେଷଣ କରିଥିଲେ। ମଶାଲ ଶୋଭାଯାତ୍ରାରେ ଉପାଧ୍ୟକ୍ଷା ସରସ୍ୱତୀ ସାହା, ସମସ୍ତ କାଉନସିଲର, ନିର୍ବାହୀ ଅଧିକାରୀ ଓ ସମସ୍ତ କର୍ମଚାରୀଙ୍କ ସମେତ ବିଭିନ୍ନ ମହିଳା ଗ୍ରୁପ ଯୋଗଦାନ କରିଥିଲେ। ସାନ୍ଧ୍ୟ ସାରସ୍ବତ ସମାରୋହରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିରୋଧୀ ଦଳ ନେତା ତଥା ପୂର୍ବତନ ନର୍ଲା ବିଧାୟକ ଭୂପିନ୍ଦର ସିଂ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ମନିନ୍ଦ୍ର ହୋନନାଗା ଓ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ପ୍ରମୁଖଙ୍କ ସହିତ ଏନ୍ଏସି ଉପାଧ୍ୟକ୍ଷା ଏବଂ ସମସ୍ତ ପାରିଷଦ ବୃନ୍ଦ ମଞ୍ଚାସୀନ ଥିଲେ। ଏନ୍ଏସି କର୍ତ୍ତୃପକ୍ଷଙ୍କ ଦୂରଦୃଷ୍ଟି ଅଭାବ ଯୋଗୁଁ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ଉଦ୍ଦିଷ୍ଟ ଚେୟାର ଗୁଡ଼ିକୁ ଦର୍ଶକମାନଙ୍କ ବସିବା ପାଇଁ ଥିବା ଚେୟାର ଠାରୁ ବହୁ ପଛ ଲାଇନରେ ପକାଯାଇଥୁବାରୁ ସାମ୍ବାଦିକମାନେ ଉତ୍ସବ ସ୍ଥଳକୁ ଯାଇ ଫେରି ଆସିଥିଲେ।

Leave a Reply

Your email address will not be published. Required fields are marked *