କେସିଙ୍ଗା ପ୍ରତି ବେଦାନ୍ତ କମ୍ପାନୀର ଅବହେଳା ପ୍ରତିବାଦରେ ଆନ୍ଦୋଳନ ପାଇଁ ସଜବାଜ

କେସିଙ୍ଗା-୧୭/୧ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ କମ୍ପାନୀ ଆଜକୁ ୨୧ ବର୍ଷ ହେଲା ଯଦି ଚାଲୁ ରହିଛି, ତା’ର ମୁଖ୍ୟସ୍ରୋତ ହେଲା କେସିଙ୍ଗା ତେଲନଦୀରୁ ପାଣି ନେବା। ତେଣୁ ବେଦାନ୍ତ କମ୍ପାନୀ ‘କର୍ପୋରେଟ ସୋସିଆଲ ରିସପନସିବିଲିଟି’ ଆଇନ ମୁତାବକ କେସିଙ୍ଗା ପ୍ରାନ୍ତୀୟ ଅଞ୍ଚଳରେ ବିଭିନ୍ନ ବିକାଶମୁଖୀ କାର୍ଯ୍ୟ କରିବା ବାଧ୍ୟତାମୂଳକ। କିନ୍ତୁ ଆଜିଯାଏ କେସିଙ୍ଗା ଅଞ୍ଚଳରେ କୈାଣସି ବିକାଶମୁଖୀ କାର୍ଯ୍ୟ କରିନଥଲା ବେଳେ ନିଜ ସ୍ବାର୍ଥ ହାସଲ ପାଇଁ ଗ୍ରାମାଞ୍ଚଳ ଅଭିମୁଖୀ ହୋଇ କନ୍ତେଶିର ପଞ୍ଚାୟତର ତଅଁଶିର ନିକଟ ତେଲନଦୀରୁ ପାଣି ନେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି ଅଥଚ କେସିଙ୍ଗା ଅଞ୍ଚଳର ବିକାଶ କାର୍ଯ୍ୟ କରିବା ଲାଗି ଅଣଦେଖା କରି ଚାଲିଛି। କେସିଙ୍ଗା ସହରକୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତ୍ୟେକ ଦିନ ଜଳ ଯୋଗାଣର ବ୍ୟବସ୍ଥା ରହିଛି। କିନ୍ତୁ ସ୍ଥାନୀୟ ଜନସ୍ବାସ୍ଥ୍ୟ ବିଭାଗ ତେଲନଦୀରୁ ହିଁ ପାଣି ଉଠାଣ କରି ସହରବାସୀଙ୍କୁ ପାନୀୟ ଜଳ ଯୋଗାଣ କରିଥାଏ। ବିଡ଼ମ୍ବନାର ବିଷୟ ବେଦାନ୍ତ କମ୍ପାନୀ ତା’ର କାର୍ଯ୍ୟ ଚାଲୁ ରଖିବା ପାଇଁ ତେଲନଦୀରୁ ୬୦ ଏଚ୍ ପି ମୋଟର ଲଗାଇ ପାଣି ଉଠାଣ କରି ନେଉଥିବାରୁ ନଦୀର ଜଳପତ୍ତନ ସ୍ତର କମି ଯାଇଥିବା ଯୋଗୁଁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ଇନ୍ ଟେକ୍ ଓ୍ବେଲ ( କୂଅ ) କୁ ପର୍ଯ୍ୟାପ୍ତ ପାଣି ନ ଆସିବା ଫଳରେ ନିକଟରେ କେସିଙ୍ଗା ସହରରେ ୩ ଦିନ ପାନୀୟ ଜଳ ଯୋଗାଣ ବନ୍ଦ ରହିଥିଲା। ଯଦି ଶୀତ ମାସରେ ଏପରି ଅବସ୍ଥା, ତେବେ ଗ୍ରୀଷ୍ମ ଦିନରେ କ’ଣ ହେବ ସେନେଇ ସହରବାସୀ ଚିନ୍ତାରେ ପଡ଼ିଛନ୍ତି। ତେଣୁ ଏନ୍ଏସି କାଉନସିଲର ରୋହିତ ଜୈନ, ରମାକାନ୍ତ ଜେନା, ଭୁପେନ ବାଘେଲାଙ୍କ ସହିତ ବିଜୟ ଦୀପ, ମୋତି ସାହୁ ପ୍ରମୁଖ ବେଦାନ୍ତ କମ୍ପାନୀ ଅଞ୍ଚଳରେ ବିଭିନ୍ନ ବିକାଶମୁଖୀ କାର୍ଯ୍ୟ କରିବା ପାଇଁ ସହରକୁ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ସହ ୭ ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରଦାନ କରିଛନ୍ତି। ଏହାର ବିଚାର କରି ବେଦାନ୍ତ କମ୍ପାନୀ ତୁରନ୍ତ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ କେସିଙ୍ଗାବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *