
କେସିଙ୍ଗା,୧୨/୧ କେସିଙ୍ଗା ସହର କଳାହାଣ୍ଡି ଜିଲ୍ଲାର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଚିତ। ସହରରେ ଭାରତର ପ୍ରାୟ ପ୍ରାୟ ସମସ୍ତ ରାଷ୍ଟ୍ରାୟତ ବ୍ୟାଙ୍କ ଥିଲାବେଳେ ସମସ୍ତ ବ୍ୟାଙ୍କର ଏଟିଏମ୍ ମଧ୍ୟ ସ୍ଥାପନ କରାଯାଇଛି। ହେଲେ ୨୦୨୫ ଜାନୁୟାରୀ ପହିଲା ଠାରୁ ଆଜି ପର୍ଯ୍ୟନ୍ତ ସହରର କୌଣସି ବ୍ୟାଙ୍କ ଓ ଏଟିଏମ୍ ଗୁଡିକରେ ନାହିଁ ଟଙ୍କା।ଉପଭୋକ୍ତାମାନେ ବ୍ୟାଙ୍କକୁ ଟଙ୍କା ଉଠାଣ ପାଇଁ ଗଲେ ନଗଦ ଟଙ୍କା ନଥିବା କହି ଫେରାର ଦେଉଛନ୍ତି କାଉଣ୍ଟରରେ ବସିଥିବା କର୍ମଚାରୀ । ଏଟିଏମ୍ ମାନଙ୍କରେ ମଧ୍ୟ ସମାନ ଅବସ୍ଥା। ତେଣୁ ଯେଉଁ ଉପଭୋକ୍ତା ମାନେ ଡିଜିଟାଲ କାରବାର କରୁଛନ୍ତି ସେମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚାଷୀମାନେ ମଧ୍ୟ ପ୍ରାକୃତିକ ବାଧାବିଘ୍ନ ସହି କଷ୍ଟ ଉପାର୍ଜିତ ଧାନ ଓ କପା ବିକ୍ରି କରି ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ଅର୍ଥ ପାଇପାରୁ ନାହାନ୍ତି। ସେହିପରି ଗର୍ଭବତୀ ମହିଳାମାନେ ମଧ୍ୟ ଟଙ୍କା ନପାଇ ଅସହାୟ ଅବସ୍ଥାରେ ଫେରିଯାଉଥିବା ଦେଖିବାକୁ ମିଳିଛି। ରୋଗୀମାନେ ମଧ୍ୟ ଅର୍ଥାଭାବରୁ ଚିକିତ୍ସିତ ହୋଇପାରୁ ନାହାନ୍ତି। ଏପରିକି ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ବୃଦ୍ଧବୃଦ୍ଧାମାନେ ଆକାଉଣ୍ଟରୁ ଭତ୍ତା ଟଙ୍କା ଉଠାଇ ନପାରି ବହୁ କଷ୍ଟରେ କାଳାତିପାତ କରୁଛନ୍ତି। ଏଣୁ ସେମାନେ ଏହା ସରକାରଙ୍କ ଅପାରଗତା ବୋଲି କହିବାକୁ ପଛାଇ ନାହାନ୍ତି। ପରିସ୍ଥିତି ଏମିତି ହେଲାଣି ଯେ ସହରର ପ୍ରମୁଖ ବ୍ୟାଙ୍କ ଏସବିଆଇ କର୍ତ୍ତୃପକ୍ଷ ମାତ୍ର ୧୦ ହଜାର ଟଙ୍କା ଦେବା ପାଇଁ ଅକ୍ଷମ। ଏଠାରେ ପ୍ରଶ୍ନ ଉଠୁଛି ଯେ ଲୋକେ କ’ଣ ବ୍ୟାଙ୍କରେ ଟଙ୍କା ଜମା ରଖିବା ପାଇଁ ପଛଘୁଞ୍ଚା ଦେଉଛନ୍ତି କି ? ଏହି ନଗଦ ଟଙ୍କା କମ୍ ର କାରଣ ବିଷୟରେ କେସିଙ୍ଗା ଏସବିଆଇ ବ୍ୟାଙ୍କ ମ୍ୟାନେଜର ରୋହିତ ମହାନନ୍ଦଙ୍କୁ ଜନୈକ ଗଣମାଧ୍ୟମ ପ୍ରତିନିଧି ପଚାରିବାରୁ ସେ ନଗଦ ଟଙ୍କାର ଅଭାବ କଥାକୁ ସ୍ବୀକାର କରିଥିଲେ। ତେବେ ଏହି ନଗଦ ଟଙ୍କାର ଅଭାବ ସାରା ଓଡ଼ିଶାରେ ଚାଲିଛି ବୋଲି କହିବା ସହ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରାୟ ୨୦୦ କୋଟି ପଠାଇଛନ୍ତି। ଆସନ୍ତା ସପ୍ତାହରେ ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି ପ୍ରକାଶ କରିଥିଲେ।
