କେସିଙ୍ଗା ହସପିଟାଲରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ

କେସିଙ୍ଗା- ୧୨/୧୨ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ଏକ ସାଧାରଣ କଥା ହୋଇଗଲାଣି । ପୁନଶ୍ଚ ବର୍ତ୍ତମାନ ନର୍ସଙ୍କ ଅଭାବ ଯୋଗୁଁ ରୋଗୀ ସେବା ବାଧାପ୍ରାପ୍ତ ହେଉଛି । ବର୍ତ୍ତମାନ ୯ ଜଣ ନର୍ସ ଦିନରାତି କାର୍ଯ୍ୟ କରୁଛନ୍ତି । ତିନୋଟି ସିପ୍ଟରେ ୩ ଜଣ ଲେଖାଏଁ କାର୍ଯ୍ୟ କରୁଛନ୍ତି । ବିନା ବିଶ୍ରାମ ଚାପରେ ଏମାନେ କାର୍ଯ୍ୟ କରୁଥିବାରୁ କେତେବେଳେ ଯଦି କିଛି ଭୁଲ ହୋଇଯିବ ତାହେଲେ ରୋଗୀର ଅବସ୍ଥା କଣ ଯେ ହେବ ଏବଂ ଏଥିପାଇଁ କିଏ ଦାୟୀ ରହିବ ଏନେଇ ପ୍ରଶ୍ନ ମଧ୍ୟ ଉଠୁଛି। ସେହିପରି ଆବଶ୍ୟକ ଡାକ୍ତର ନଥିବାରୁ ଦୂରଦୂରାନ୍ତରୁ ଆସୁଥିବା ରୋଗୀମାନେ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି । ଏଠାରେ ସ୍ଥାୟୀ ସର୍ଜନ ସହିତ ଦୀର୍ଘବର୍ଷ ହେଲା ଭେଷଜ ବିଶେଷଜ୍ଞ ନାହାନ୍ତି । କମ୍ ଡାକ୍ତର ଥିବାରୁ, ଆଉଟ୍ ଡୋରରେ କାର୍ଯ୍ୟରତ ଡାକ୍ତର ଆବଶ୍ୟକ ପଡ଼ିଲେ ଇନ୍ ଡୋରକୁ ସ୍ବାସ୍ଥ୍ୟସେବା ପାଇଁ ଆସୁଥିବାରୁ ଆଉଟ୍ ଡୋର ରୋଗୀମାନେ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି । ରୋଗୀ କଲ୍ୟାଣ ସମିତି ବି କିଛି କାର୍ଯ୍ୟ କରୁନଥିବା ଅଭିଯୋଗ ହେଉଛି । ନୂତନ ବିଧାୟକ ସାଗର ଦାସଙ୍କୁ ଲୋକେ ସମସ୍ୟା ସମ୍ପର୍କରେ ଜଣାଇଲେ ବି ସେ ଜଣେ ଯୁବ ଚେହେରା ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଡ଼ାକ୍ତରଖାନା ପାଇଁ କୌଣସି ଆଖିଦୃଶିଆ କାର୍ଯ୍ୟ କରିଥିବା ଦେଖିବାକୁ ମିଳିନାହିଁ । କେବଳ ଫୋନ ଓ ପତ୍ର ଲେଖି ସେ ତାଙ୍କର କାର୍ଯ୍ୟ ସାରୁଥିବା ଆଲୋଚନା ହେଉଛି । କେସିଙ୍ଗା ଡାକ୍ତର ଓ ନର୍ସ ସମସ୍ୟା ନେଇ ସେ ପତ୍ର ଲେଖିଥିଲେ ମଧ୍ୟ କୌଣସି କାର୍ଯ୍ୟ ହୋଇନାହିଁ । ଜଣେ ନର୍ସକୁ ବି ସେ ଆଣିବାରେ ସକ୍ଷମ ହୋଇନଥିବା ସହରରେ ଚର୍ଚ୍ଚା ହେଉଛି । ସେହିଭଳି କର୍ମଚାରୀ ରହୁଥିବା କୋଠରୀଗୁଡିକ ଜରାଜୀର୍ଣ୍ଣ ଅବସ୍ଥାରେ ପହଁଚିଲାଣି । କିନ୍ତୁ ସେଗୁଡିକର ମରାମତି ହେଉନଥିବାରୁ କର୍ମଚାରୀମାନେ ବିପଦସଂକୁଳ ଅବସ୍ଥାରେ ରହୁଛନ୍ତି । ଆଜିଯାଏ ବ୍ଲଡ଼ ଷ୍ଟୋରେଜ ମଧ୍ୟ ଖୋଲାଯାଇ ପାରିଲାନି । ଏତେ ଅବ୍ୟବସ୍ଥା ମଧ୍ୟରେ ରୋଗୀସେବା କିପରି ଚାଲିବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି । ଏଥିପ୍ରତି ରାଜ୍ୟ ସରକାର ତଥା ବିଭାଗୀୟ ମନ୍ତ୍ରୀ ଦୃଷ୍ଟି ଦେବାକୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *