ଚାଷୀଙ୍କ ମାରାତ୍ମକ ଷଡ଼ଯନ୍ତ୍ର

କେସିଙ୍ଗା- ୧୭/୨ ସରକାର ଚାଷୀଙ୍କ ଜମିକୁ ମରୁଡି ସମୟରେ ଜଳସେଚନର ସୁବିଧା ପାଇଁ ଫାର୍ମପଣ୍ଡ ଯୋଜନା କରିଛନ୍ତି। ଏଥିପାଇଁ ସରକାର ୨ ଲକ୍ଷ ଅନୁଦାନ ମଧ୍ୟ ଯୋଗାଇ ଦେଉଛନ୍ତି। ଏହି ଅର୍ଥରେ ମନରେଗା ଯୋଜନାରେ ଚାଷୀ ନିଜ ଜମିରେ ମାଟି ଖୋଳି ବର୍ଷାଜଳ ସଂଗ୍ରହ ରଖି ମରୁଡି ସମୟରେ ଚାଷଜମିକୁ ଜଳସେଚିତ କରିବାର ବ୍ୟବସ୍ଥା ରହିଛି। ଏହି ଫାର୍ମପଣ୍ଡ ଯୋଜନାରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଚିଚର୍ଲା ଗ୍ରାମର କୈଳାସ ସାହୁ ନିଜ ଜମିରେ ଫାର୍ମପଣ୍ଡ ଖୋଳିବା ପାଇଁ ଜିଲ୍ଲା ଜଳ ବିଭାଜିକା ବିଭାଗ ପକ୍ଷରୁ ୨ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି ବୋଲି ପି ଡି ଜଳ ବିଭାଜିକାଙ୍କ ଠାରୁ ପ୍ରକାଶ। ତେଣୁ ମନରେଗା ଯୋଜନା ନିୟମାନୁସାରେ ପଞ୍ଜିକୃତ ଶ୍ରମିକ ମାନଙ୍କୁ ଲଗାଇ କାମ କରିବା କଥା। କିନ୍ତୁ ଶ୍ରୀ ସାହୁ ଏହି କାମ ମନରେଗା ଯୋଜନା ନିୟମାନୁଯାୟୀ ଶ୍ରମିକ ଲଗାଇବା ପରିବର୍ତ୍ତେ ଜେସିବି ମେସିନ ଲଗାଇ ମାଟି ଖୋଳିଛନ୍ତି। ଜମିରୁ ମାଟି ଖୋଳିବା ସମୟରେ ସେଥିରୁ ବାହାରିଥିବା ମୋରମ୍ କୁ ଜମିର ହିଡ ଉପରେ ନ ପକାଇ ରାସ୍ତା କାମ ଲାଗି ଠିକାଦାରଙ୍କୁ ବିକ୍ରି କରିଥିବା ଖବର ମିଳିଛି। ଅପର ପକ୍ଷରେ ଜନୈକ ଠିକାଦାର ରାସ୍ତା କାର୍ଯ୍ୟ ପାଇଁ ଖୋଦିତ ଜମିରେ ମେଟାଲ ଓ ଫାଏଆସ୍ ରଖିଥିବା ଦେଖିବାକୁ ମିଳିଛି। ତେଣୁ ଚାଷୀ ଶ୍ରୀ ସାହୁ ମାରାତ୍ମକ ଷଡ଼ଯନ୍ତ୍ର କରି ଗୋଟିଏ ଗୁଳିରେ ୩ ଟି ଶିକାର କରିଥିବା ଅଭିଯୋଗ ହେଉଛି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ତୁରନ୍ତ ତଦନ୍ତ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *