
କଲମପୁର , ୩/୧୨ (ଗଣେଶରାମ ବାଗ) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧିନସ୍ଥ ୧୫ ଗୋଟି ଧାନ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଚଳିତ ମାସ ୨ ତାରିଖରୁ ଟୋକନ ମେସେଜ ଆସିସାରିଛି। ଏଥିପାଇଁ ଧାନ ଅମଳ କରି ସାରିଥିବା ତଥା ଟୋକନ ପାଇଥିବା ଚାଷୀମାନେ ଯେପରି ଶୃଙ୍ଖଳିତ ଭାବେ ଧାନ ବିକ୍ରି କରିପାରିବେ ସେଥିପାଇଁ ଆଜି ମଙ୍ଗଳବାର କଳାହାଣ୍ଡି ଜିଲ୍ଲାପାଳ ସଚିନ ପାଓ୍ବାର ପ୍ରକାଶ କଲମପୁର ବ୍ଲକର ମଣ୍ଡି ଗୁଡିକ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଯାଇଛନ୍ତି । ପ୍ରଥାମେ ଦେପୁର ଧାନ ମଣ୍ଡିର ସ୍ଥିତି ସମୀକ୍ଷା କରି କଲମପୁର ମଣ୍ଡିରେ ପହଞ୍ଚିଥିଲେ। ପେକ୍ସ ସଭାପତି ଶଙ୍କର୍ଷଣ ବେହେରା ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ । ମଣ୍ଡି ପରିସରରେ ଗଛ ପଡ଼ି ଯେଉଁ ଟିଣ ଛାତ ପଡ଼ିଯାଇଛି ତାର ଉଦ୍ଧାର ପାଇଁ ସଭାପତି ଶ୍ରୀ ବେହେରା ଅଭିଯୋଗ କରିଥିଲେ । ବର୍ତମାନ ଚାଷୀଙ୍କ ଧାନ ରଖିବା ପାଇଁ ଅସୁବିଧା ହେବା ସହିତ ସୋଲାର ଲାଇଟ୍ ବ୍ୟବସ୍ଥା ଅଚଳ ଅବସ୍ଥାରେ ଥିବା ଅଭିଯୋଗ ଉପରେ ଆର ଏମସି କର୍ତ୍ତୃପକ୍ଷଙ୍କୁ ତୁରନ୍ତ ମରାମତି କରିବା ପାଇଁ କହିଥିଲେ । ଏହାପରେ ମଣ୍ଡଳ ମଣ୍ଡି ଓ ବଡ଼କୁଟରୁ ମଣ୍ଡି ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରି ଲାଇଟ୍ , ୱେଟବ୍ରିଜ , ସିସି କ୍ୟାମରା, ପାନୀୟ ଜଳ ଭଳି ଅନେକ ଜିନିଷ ତ୍ବରାନ୍ବିତ କରିବା ପାଇଁ କହିଥିଲେ। ଏହି ଅବସରରେ କଲମପୁର ବିଡିଓ ବିଜୟ କୁମାର ମାଣ୍ଡାଙ୍ଗୀ, ତହସିଲଦାର ସ୍ମରଣିକା ତୁଳ, ସିଡ଼ିପିଓ ନୀର୍ବାସିନୀ ଦେଇ , ଆରଏମସି ସମ୍ପାଦକ ଭୁବନେଶ୍ୱର ବେହେରା, ଆରଆଇ ଅର୍ଚ୍ଚନା ସାହୁ, ପାର୍ଥସାରଥୀ ବିଛନ୍ଦ , ଏମଆଇ ଲିସା ସାହୁ, ବ୍ଲକ ସହକାରୀ ଯନ୍ତ୍ରୀ ସନ୍ତୋଷ ବେହେରା , ସମସ୍ତ ପେକ୍ସ ମୁଖ୍ୟ କାର୍ଯ୍ୟ ନିର୍ବାହୀ , ଆରଏମସି ଏବଂ ପେକ୍ସ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଶେଷରେ ଧାନ କିଣା ବିକା ଉପରେ ଚାଷୀଙ୍କ ସୁବିଧାକୁ ଗୁରୁତ୍ଵ ଦେବାକୁ କହିଁଥିଲେ।