ଜଳପୁରୁଷ କାର୍ଜୀ ମାଝୀ ଓ ସହିଦ ରେଣ୍ଡୋ ମାଝୀଙ୍କ ସ୍ମୃତି ଦିବସ ପାଳିତ

ଭବାନୀପାଟଣା-୧୧/୧୨ ଦୁର୍ଗମ ଅଞ୍ଚଳରେ ନିଜର ଜ୍ଞାନ କୈାଶଳ ଦ୍ବାରା ଜଳସେଚନର ସୁବ୍ୟବସ୍ଥା କରିଥିବା ବିଶ୍ୱ ବିଖ୍ୟାତ ଯନ୍ତ୍ରୀ ତଥା ଜଳପୁରୁଷ କାର୍ଜୀ ମାଝୀଙ୍କ ଅବଦାନ ଚିରସ୍ମରଣୀୟ ହୋଇ ରହିବ। ସେହିପରି ମହାନ ସ୍ୱାଧୀନତା ସଂଗ୍ରାମୀ ସହିଦ ରେଣ୍ଡୋ ମାଝୀଙ୍କ ତ୍ୟାଗ ଓ ବଳିଦାନ ଆଜି ବି ଅବିସ୍ମରଣୀୟ ହୋଇରହିଛି ବୋଲି ଟାଉନ ହଲ୍ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ସେମିନାର ଅବସରରେ ନିମନ୍ତ୍ରିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଓଡିଶାର ଅଗ୍ରଣୀ ସାମାଜିକ ଓ ବୈପ୍ଲବିକ ସଂଗଠନ ଦଳିତ ଆଦିବାସୀ ମହାସଂଘ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଅତିରିକ୍ତ ଜିଲ୍ଲାପାଳ ବଇତୁରା ଦୀପ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଓଡ଼ିଶା ଆଦିବାସୀ ମହାସଂଘର ସଭାପତି ବାଳକୃଷ୍ଣ ଶବର, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ଡ. ଅଜୟ କୁମାର ମିଶ୍ର, ଅବସରପ୍ରାପ୍ତ ଅବକାରୀ କମିସନର ଗଙ୍ଗାଧର ମାଝୀ, ଅବସରପ୍ରାପ୍ତ କୋଷାଗାର ଅଧିକ୍ଷକ ମହେଶ୍ୱର ମାଝୀ, ନୂଆପଡା ଜିଲ୍ଲା ଆଦିବାସୀ ସଂଘ ସଭାପତି ଭାନୁପ୍ରତାପ ସିଂ ମାଝୀ, ବିଶିଷ୍ଟ ସମାଜସେବୀ ସତ୍ୟ ନାରାୟଣ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ବିଶି, ମହାସଂଘର କାର୍ଯ୍ୟକାରୀ ସଭାପତି ରମେଶ ମାଝୀ, ଉପସଭାପତି ଛବିଲାଲ ନିଆଲ, ମହାସଚିବ ଦେବୀ ପ୍ରସାଦ ସିନ୍ଦୁର ପ୍ରମୁଖ ଯୋଗ ଦେଇଥିଲେ। ମହାସଂଘର ସଭାପତି ପରମାନନ୍ଦ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବର୍ଣ୍ଣାଢ୍ୟ ସମାରୋହରେ କାର୍ଯ୍ୟକାରୀ ସଭାପତି ଧର୍ମେନ୍ଦ୍ର ନାଏକ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ କାର୍ଯ୍ୟକାରୀ ସଦସ୍ୟ ମହେନ୍ଦ୍ର ନାଏକ ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ମୁଖିଗୁଡ଼ା ଉପର ଇନ୍ଦ୍ରାବତୀ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଜଗନ୍ନାଥ ପାଣିଙ୍କୁ ଜଳପୁରୁଷ କାର୍ଜୀ ମାଝୀ ଯନ୍ତ୍ରୀ ଗୌରବ ସମ୍ମାନ, ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ବିଶିଙ୍କୁ ଜଳପୁରୁଷ କାର୍ଜୀ ମାଝୀ ପ୍ରତିଭା ସମ୍ମାନ, ଧନସିଂ ମାଝୀଙ୍କୁ ବୀର ସହିଦ ରେଣ୍ଡୋ ମାଝୀ ପ୍ରତିଭା ସମ୍ମାନ, ଖାମସିଂ ମାଝୀଙ୍କୁ ବୀର ସହିଦ ରେଣ୍ଡୋ ମାଝୀ ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *