କେସିଙ୍ଗା ତା ୧୯.୧୦ (ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ବାଲସି ସ୍ଥିତ ଜବାହାର ଉଚ୍ଚ ବିଦ୍ୟାପୀଠ ବାଲସି (କ) ର ପୂର୍ବତନ ପ୍ରଧାନ ଶିକ୍ଷକ ବଂଶୀଧର ରାଉତଙ୍କ ଯୋଗଦାନକୁ ଜିଲ୍ଲାପାଳ ତାଙ୍କ ଆଦେଶ ପତ୍ର ସଂଖ୍ୟା ୬୬୧୭ /ତା ୧୭/୧୯.୧୦.୨୪ ରିଖରେ ବାତିଲ କରି ପୁଣି କନ୍ତେଶିର ସ୍ଥିତ କପିଳେଶ୍ୱର ହାଇସ୍କୁଲକୁ ବଦଳି କରିଛନ୍ତି। ସ୍କୁଲ ପରିଚାଳନା କମିଟୀ ଜିଦ୍ ଧରି ଶ୍ରୀ ରାଉତଙ୍କୁ ଏଠାରେ ଯୋଗଦାନ କରାଇ ଦେବୁନାହିଁ ବୋଲି ଦୀର୍ଘ ୬ ଦିନ ହେଲା ସ୍କୁଲ ସମ୍ମୁଖରେ ଗଣଧାରଣା ଜାରି ରଖିଥିଲେ। ଛୁଟି ପରେ ଗତ ଶୁକ୍ରବାର ସ୍କୁଲସବୁ ଖୋଲିଥିଲେ ମଧ୍ୟ ସ୍କୁଲ ପରିଚାଳନା କମିଟୀ ଗଣଧାରଣା ଜାରି ରଖିଥିବାରୁ ଛାତ୍ରୀଛାତ୍ର ମାନେ ସ୍କୁଲର ମୁଖ୍ୟ ରାସ୍ତାରେ ବସି ରହିଥିବା ଦେଖିବାକୁ ମିଳିଥିଲା। ଜିଲ୍ଲାପାଳ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ତହସିଲଦାର ପ୍ରଶାନ୍ତି ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ପିଲାଙ୍କୁ ଛୁଟି କରି ଦେଇଥିଲେ ଏବଂ କମିଟୀକୁ ଧାରଣାରୁ ଓହରିଯିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଥିଲା। କିନ୍ତୁ କିଛି ସୁଫଳ ମିଳିନଥିଲା। କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରା ମଧ୍ୟ ପରିଚାଳନା କମିଟୀ ସହ ଆଲୋଚନା କରିଥିଲେ ମଧ୍ୟ କମିଟୀ ନିଜ ଜିଦ୍ ରେ ଅଟଳ ରହିଥିଲା। ତେଣୁ ଜିଲ୍ଲାପାଳ ପୁଣି କପିଳେଶ୍ୱର ସ୍କୁଲରେ ଯୋଗଦାନ କରିବା ପାଇଁ ଶ୍ରୀ ରାଉତଙ୍କୁ ଆଦେଶ ଦେଇଥିବାର ଜଣାପଡିଛି।