ଦୀର୍ଘ ୬ ମାସ ହେଲା ସୋଲାର ପମ୍ପ ଅଚଳ, ମଧ୍ୟାହ୍ନ ଭୋଜନ ପାଇଁ ପାଣିର ଘୋର ସମସ୍ୟା

କେସିଙ୍ଗା- ତା ୨୧.୪: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନସ୍ଥ କିକିଆ ଗ୍ରାମସ୍ଥିତ ବାପୁଜୀ ସରକାରୀ ଉପ୍ରା ବିଦ୍ୟାଳୟ ଗତ ୨୫.୪.୦୪ ମସିହାରେ ସ୍ଥାପିତ ହୋଇ ଥିଲାବେଳେ ଏଠାରେ ପାନୀୟଜଳର ଘୋର ସମସ୍ୟା ରହିଛି।ଗତ ୨୦୧୭-୧୮ ଆର୍ଥିକ ବର୍ଷରେ କିକିଆ ଗ୍ରାମ ପଞ୍ଚାୟତ ତରଫରୁ ୩ ଲକ୍ଷ ବ୍ୟୟ ଅଟକଳରେ ସୋଲାର ପମ୍ପ ସହ ପାଣି ଟାଙ୍କି ସ୍ଥାପନ କରାଯାଇଥିଲା। କିନ୍ତୁ ଆଜକୁ ୬ମାସ ହେବ ସୋଲାର ପମ୍ପ ଅଚଳ ହୋଇ ପଡିଥିବାରୁ ଉକ୍ତ ସ୍କୁଲରେ ଅଧ୍ୟୟନ କରୁଥିବା ୬, ୭ ଓ ୮ମ ଶ୍ରେଣୀ ପିଲାଙ୍କ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି କରିବା ପାଇଁ ପାନୀୟ ଜଳ ମିଳୁନାହିଁ। ଏଣୁ ସେମାନେ ନିକସ୍ଥ ହାଇସ୍କୁଲରୁ ପାଣି ଆଣି ମଧ୍ୟାହ୍ନ ଭୋଜନ ରୋଷେଇ କରୁଛନ୍ତି। ଏହି ବିଦ୍ୟାଳୟର ପରିବେଶରେ ବିଭିନ୍ନ ବଗିଚା ରହିଛି। ପାଣିର ଘୋର ଅଭାବ ଯୋଗୁଁ ବର୍ତ୍ତମାନ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମୟରେ ବଗିଚାରେ ଲାଗିଥିବା ବିଭିନ୍ନ ଫୁଲ, ଶୋ ଗଛ ମରିବାକୁ ବସିଲାଣି। ସ୍କୁଲ ପରିସରରେ ଥିବା ଶୌଚାଳୟ ମଧ୍ୟ ଅଚଳ ଅବସ୍ଥାରେ ପଡିରହିଛି। ଷଷ୍ଠ ଶ୍ରେଣୀର ଭିତର ଛାତ ଫାଟି ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଶ୍ରେଣୀ ଗୃହ ଅଭାଵରୁ ସେହି ବିପଦ ସଙ୍କୁଳ ଶ୍ରେଣୀ ଗୃହରେ ପାଠ ପଢାଯାଉଛି। ଏହି ସବୁ ସମସ୍ୟାର ସମାଧାନ ପାଇଁ କିକିଆ ସରପଞ୍ଚ, ବିଇଓ, ବିଡ଼ିଓଙ୍କ ନିକଟରେ ସ୍କୁଲ ପକ୍ଷରୁ ବହୁବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏ ବିଷୟରେ ପଞ୍ଚାୟତ ସରପଞ୍ଚ କିଶୋର ପ୍ରଧାନଙ୍କୁ ପଚାରିବାରୁ ମୁଁ ତଦନ୍ତ କରି ସୋଲାର ପାଣି ଟାଙ୍କିର ମରାମତି କରିବି ବୋଲି ପ୍ରକାଶ କରିଥିଲେ। କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରାଙ୍କୁ ପଚାରିବା ରୁ ମୁଁ ତଦନ୍ତ କରିବି ବୋଲି ପ୍ରକାଶ କରିଥିଲେ। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଏହା କେବଳ ତଦନ୍ତରେ ସୀମିତ ରହିବ ନା ସ୍କୁଲରେ ପାନୀୟ ଜଳ ସମସ୍ୟା ଦୂର ହେବ ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *