
ଭବାନୀପାଟଣା- କଳାହାଣ୍ଡି ଜିଲ୍ଲା ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ଦୁର୍ନୀତିର ଗନ୍ତାଘର ପାଲଟିଛି ବୋଲି ସାଧାରଣରେ ଅଭିଯୋଗ ହେଉଛି। ଅଭିଯୋଗରୁ ପ୍ରକାଶ ଯେ ୨୦୨୩-୨୪ ଆର୍ଥିକ ବର୍ଷରେ ଜୟପାଟଣା ବ୍ଳକ ବଡ ଟେମରୀ ଠାରୁ ଭାଲୁଟୁକୁରା ରାସ୍ତା ନିର୍ମାଣ ପାଇଁ ୨ କୋଟି ୧୭ ଲକ୍ଷ ୬୭ ହଜାର ୯୬୨ ଟଙ୍କାରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ହୋଇଥିବା ନେଇ ସୂଚନା ଫଳକ ତଥ୍ୟରୁ ପ୍ରକାଶ। ଏହି କାର୍ଯ୍ୟର ତଦାରଖ ଦାୟିତ୍ଵରେ ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗ ଥିଲାବେଳେ ୨୮ ମେ ୨୦୨୩ ରେ କାର୍ଯ୍ୟ ଆରମ୍ଭ ହୋଇ ୨୭ ମେ ୨୦୨୪ କାର୍ଯ୍ୟ ଶେଷ ତାରିଖ ରହିଛି। ଏଥିପାଇଁ ଧର୍ମଗଡର ଜ୍ୟୋର୍ତିମୟୀ ସିଂ ଠିକାଦାର ଭାବେ ନିଯୁକ୍ତି ହୋଇଛନ୍ତି। କିନ୍ତୁ ଠିକାଦାର ଓ ବିଭାଗୀୟ ଅଧିକାରୀ ଏବଂ ଯନ୍ତ୍ରୀଙ୍କ ସଫାସୁତୁରା ରେ ଏହି ରାସ୍ତା କାମ ରାତିଅଧିଆ କରାଯାଇଥିବାରୁ ୬ ମାସ ନପୂରୁଣୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଫଳରେ ମୋଟର ଚାଳିତ ଯାନବାହାନଗୁଡିକ ଅନେକ ସମୟରେ ଦୁର୍ଘଟଣାର ସମ୍ମୁଖିନ ହେଉଛି। ଏପରିକି ଲୋକେ ବାଇକ୍ କ’ଣ ଖାଲି ପାଦରେ ଚାଲିବା କଷ୍ଟକର ହୋଇପଡୁଛି। ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।
