ନଗଦ ଆକାରରେ ଭତ୍ତା ଟଙ୍କା ଦେବାକୁ ଶତାଧିକ ହିତାଧିକାରୀଙ୍କ ନିବେଦନ

କଲମପୁର- ୨୫/୧୦ (ଗଣେଶରାମ ବାଗ) ଜନସାଧାରଣ ତଥା ଗରିବ ଲୋକଙ୍କ ସାମାଜିକ ସୁରକ୍ଷା ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ହେଲେ ସରକାର ଏଥିପାଇଁ ଅନେକ ସମୟରେ ନିୟମ ବଦଳାଉଥିବାରୁ ହିତାଧିକାରୀମାନେ ହଇରାଣ ହରକତ ହେବାରେ ଲାଗିଛନ୍ତି। ଯେପରିକି ରାସନ କାର୍ଡରେ ଆଙ୍ଗୁଠି ଛାପ କାମ ନଦେବା ଫଳରେ ଆଧାର କେନ୍ଦ୍ରରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି। ଆଧାର କାର୍ଡ ସଂଶୋଧନ ପାଇଁ ଲୋକେ କେନ୍ଦ୍ରକୁ ବାରମ୍ବାର ଦୌଡ଼ି ଦୌଡ଼ି ନୟାନ୍ତ ହୋଇପଡ଼ୁଛନ୍ତି। ତଥାପି ଆଧାର କାର୍ଡ ସଂଶୋଧନ ହୋଇପାରୁନାହିଁ । ବିଶେଷ କରି ଭିନ୍ନକ୍ଷମ ଓ ଛୋଟ ଛୋଟ ଶିଶୁମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରି କରି ଶେଷରେ ନିରାଶ ହୋଇ ଘରକୁ ଫେରିଯାଉଛନ୍ତି। ଲୋକଙ୍କ ମନରେ ଭୟ ଦେଖାଦେଇଛି କାଳେ ଆମର ରାସନ କାର୍ଡ କଟିଯିବ। ଏଥିପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ନିଜ ସମୟକୁ ଅପେକ୍ଷା କରୁଛନ୍ତି। ସେହିଭଳି ବ୍ୟାଙ୍କରେ ମଧ୍ୟ ପ୍ରବଳ ଭିଡ ଲାଗି ରହିଛି। ସୁଭଦ୍ରା ଯୋଜନା ହିତାଧିକାରୀ ଓ ବ୍ୟାଙ୍କ ଗ୍ରାହକଙ୍କ ଭିଡ ଭିତରେ ଭିନ୍ନକ୍ଷମ ଓ ବୃଦ୍ଧବୃଦ୍ଧା ମାନେ ପେଶି ହୋଇଯାଉଛନ୍ତି। ଘଣ୍ଟା ଘଣ୍ଟା ଧରି ଭିଡ ଭିତରେ ସେମାନେ ନିଜ ନିଜ କାର୍ଯ୍ୟ ତୁଲାଇବା ସମ୍ଭବ ହୋଇପାରୁନାହିଁ । ଏଥିରେ ମୋବାଇଲ ନମ୍ବର ସଂଯୋଗ ଓ ଭତ୍ତା ହିତାଧିକାରୀ ଏଭଳି ସମସ୍ୟା ମଧ୍ୟରେ ଛନ୍ଦି ହୋଇ ପଡ଼ୁଛନ୍ତି। ବନ୍ଧକନା ପଞ୍ଚାୟତ ଅନ୍ତର୍ଗତ ଚୁରାଗାଁ ଗ୍ରାମର ଶତାଧିକ ଭତ୍ତା ହିତାଧିକାରୀ କଲମପୁର ବିଡିଓ ବିଜୟ କୁମାର ମାଣ୍ଡାଙ୍ଗୀଙ୍କ ନିକଟରେ ଫେରାଦ ହୋଇଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ ଆମ୍ଭେ ଭିନ୍ନକ୍ଷମ ଓ ବାର୍ଦ୍ଧକ୍ୟ ଭତ୍ତାଧାରୀ ମାନେ ପ୍ରବଳ ଭିଡ ଭିତରେ ପଶି ଟଙ୍କା ଉଠାଣ କରିବା ସମ୍ଭବ ହେଉନାହିଁ ।ସହଜ ଜନ ସେବା କେନ୍ଦ୍ର ଓ ମୁଖ୍ୟ ବ୍ୟାଙ୍କରେ ପ୍ରବଳ ଭିଡ ଲାଗିରହିବା ସହିତ ଆମ୍ଭମାନଙ୍କ ଆଙ୍ଗୁଠି ଛାପ ମଧ୍ୟ କାମ କରୁନଥିବା କୁହାଯାଉଥିବା ଯୋଗୁଁ ଆମେ ଅନେକ ସମସ୍ୟାର ସମ୍ମୁଖିନ ହେଉଛୁ। ତେଣୁ ଆମ୍ଭମାନଙ୍କୁ ସିଧାସଳଖ ନଗଦ ଆକାରରେ ଭତ୍ତା ଯୋଗାଇ ଦିଆଯାଉ ବୋଲି ବିଡ଼ିଓ ଶ୍ରୀ ମାଣ୍ଡାଙ୍ଗୀଙ୍କ ନିକଟରେ ଦାବି କରିଛନ୍ତି ଶ୍ରୀମାଣ୍ଡାଙ୍ଗି ସେମାନଙ୍କୁ ଆଶ୍ଵାସନା ଦେଇ କହିଛନ୍ତି ଯେ ଯେଉଁ ହିତାଧିକାରୀମାନେ ବ୍ୟାଙ୍କକୁ ଯାଇ ଟଙ୍କା ଉଠାଣ କରିବାରେ ଅସମର୍ଥ ସେମାନେ ନିଜ ସଂପର୍କୀୟଙ୍କ ନାମ ଦେଇ ଦେଲେ ପିଇଓମାନେ ବ୍ୟାଙ୍କକୁ ସୁପାରିଶ କରିଦେବେ ଏବଂ ସଂପର୍କୀୟମାନେ ଯାଇ ଟଙ୍କା ଉଠାଣ କରି ପାରିବେ ବୋଲି କହିଥିଲେ। କିନ୍ତୁ ଭତ୍ତା ହିତାଧିକାରୀମାନେ ଗାଁକୁ ଆସି ପୂର୍ବ ଭଳି ହାତରେ ଭତ୍ତା ପ୍ରଦାନ କରାଯାଉ ବୋଲି ଦାବି କରିଥିଲେ। ବିଡ଼ିଓ ଶ୍ରୀ ମାଣ୍ଡାଙ୍ଗି ଯାହା ହୋଇପାରିବ ନିଶ୍ଚିତ ଭାବେ ଏହାର ସମାଧାନ କରାଯିବ ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *