ଭବାନୀପାଟଣା ୬/୧୨ କଳାହାଣ୍ଡି ଜିଲ୍ଲାରେ ନଭେମ୍ବର ଶେଷ ସୁଦ୍ଧା ସମସ୍ତ ଧାନ ମଣ୍ଡି କାର୍ଯ୍ୟକାରୀ ହେବ ବୋଲି ସରକାର ଘୋଷଣା କରିଥିଲେ। ହେଲେ କଳାହାଣ୍ଡି ଜିଲ୍ଲାରେ ଅଧୂକାଂଶ ଧାନ ମଣ୍ଡି ଆଜିଯାଏ କାର୍ଯ୍ୟକ୍ଷମ ହୋଇପାରିନାହିଁ। ତେବେ କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକରେ ଥିବା ୭ ଗୋଟି ପ୍ୟାକ୍ସ ଗୁଡିକ ଅଧୀନରେ ଥିବା ନର୍ଲା ଓ ପଲମ ଧାନ ମଣ୍ଡି ଶୁକ୍ରବାର ସକାଳ ୧୧ ଘଣ୍ଟା ସମୟରେ ଉଦ୍ଘାଟିତ ହୋଇଯାଇଛି। ନର୍ଲା ବ୍ଳକ ଅଧିନସ୍ଥ ରପ୍ରା, ରୁପ୍ରାରୋଡ, ଶାନ୍ତପୁର ମଣ୍ଡି ୪ ଓ ୫ ରେ ଉଦଘାଟିତ ହୋଇଯାଇଛି। କେବଳ ତୁଳାପଡ଼ା ଓ ଭାନପୁର ମଣ୍ଡି ଉଦ୍ଘାଟନ ହୋଇନି। ନର୍ଲା ପ୍ୟାକ୍ସ ଅଧୀନରେ ଚାଲୁଥୁବା ନର୍ଲା ବସ୍ତି ଆରମ୍ଭର ରାଜରାସ୍ତା କଡରେ ଏକ ଘରୋଇ ଜାଗାରେ ଧାନ ମଣ୍ଡି ଖୋଲିଛି । ନର୍ଲା ପ୍ୟାକ୍ସ ସଭାପତି ମଞ୍ଜୁଲତା ଗଉଡଙ୍କ ଅଧ୍ଯକ୍ଷତାରେ ଏହି ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥ୍ ଭାବରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ, ସମ୍ମାନୀତ ଅତିଥି ଭାବରେ ନର୍ଲା ତହସିଲଦାର ବଳଦେବ ବେହେରା, ନର୍ଲା ଯୋଗାଣ ଅଧିକାରୀ ପ୍ରଶାନ୍ତ ଶ୍ରୀଚନ୍ଦନ, ଡାଇରେକ୍ଟର ଅଭୟ ଚାନ୍ଦ, କୃଷି ଅଧିକାରୀ ହେମଲତା ଦୀପ, କେମନୁ ସାହୁ ପ୍ରମୁଖ ଯୋଗଦାନ କରି ମହାଲକ୍ଷ୍ମୀ ଫଟୋଚିତ୍ର, ଧାନବସ୍ତା ଓ ଧାନ ଓଜନ ପରିମାପକ ମେସିନରେ ସିନ୍ଦୁର, ଚନ୍ଦନ ଦେଇ ପୂଜାପାଠ କରି ନଡ଼ିଆ ଭାଙ୍ଗି ଏହାର ଶୁଭ ଉଦ୍ଘାଟନ କରିଥିଲେ। ନର୍ଲା ମଣ୍ଡିରେ କହ୍ନେୟା ଏଗ୍ରୋ ନର୍ଲାରୋଡ ମିଲ, ରାମାନୁଜ ଏଗ୍ରୋ ଟେକ ବୁଢୀପଦର ମିଲ, ଶ୍ରୀ ଜଗନ୍ନାଥ ଫୁଡସ୍ କେସିଙ୍ଗା, ତୁଳାପଡା କନକଦୁର୍ଗା ରାଇସ ମିଲ୍ ଆଦିକୁ ନର୍ଲା ମଣ୍ଡି ସହି ସଂଯୁକ୍ତ କରାଯାଇଥିବା ଜଣାପଡିଛି। ଉଦ୍ଘାଟନୀ ଦିବସରେ ଟୋକନ ପାଇଥିବା ନର୍ଲା ଜୟନ୍ତୀ ନଗର ପଡ଼ାର ଚାଷୀ ଲବ କୁମାରଙ୍କ ୧୫ କ୍ରିଣ୍ଟାଲ ଧାନ ମଣ୍ଡିରେ ବିକ୍ରି ହୋଇଥିଲା।