କେସିଙ୍ଗା- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଅମଲା ଭବନଠାରେ ନିଖିଳ ଓଡିଶା ରାତ୍ର ଜଗୁଳିଆ ଓ ଝାଡୁଦାର ଶ୍ରମିକ, କଳାହାଣ୍ଡି ସଂଘର ଏକ ଜରୁରୀ ବୈଠକ ବିରଞ୍ଚି ପ୍ରସାଦ ନାଏକଙ୍କ ଆହ୍ବାନ ଓ ଲଳିତ ପାଣିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଭାରତ ସ୍ଵାଧୀନ ହେବର ୭୪ ବର୍ଷ ଅତିବାହିତ ହୋଇଯାଇଥିବା ସତ୍ତ୍ୱେ ରାତ୍ର ଜଗୁଆଳି ଓ ଝାଡୁଦାରଙ୍କୁ ସର୍ବନିମ୍ନ ସରକାରୀ ଅନୁଦାନ ପ୍ରାପ୍ତ ହୋଇନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ଏଥିପାଇଁ ଏକ ନୂତନ କମିଟୀ ଗଠନ କରି ସର୍ବସମ୍ମତି କ୍ରମେ ଶ୍ରୀ କିଶୋର ବାଗ ସଭାପତି, ସମ୍ପାଦକ ଭାବରେ ବିରଞ୍ଚି ପ୍ରସାଦ ନାଏକ ଏବଂ କୋଷାଧ୍ୟକ୍ଷ ଭାବରେ ବିକାଶ ଦାସ ପ୍ରମୁଖ ମନୋନୀତ ହୋଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟସ୍ତରୀୟ ସାଧାରଣ ସଂପାଦକ ବିଦୂର କୁମାର, ସହ ସାଧାରଣ ସଂପାଦକ ସୁରେନ୍ଦ୍ର ଗୁରୁ ଏବଂ କୋଷାଧକ୍ଷ ଗଜାନନ ନାଗ ଉପସ୍ଥିତ ରହିବା ସହିତ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା । ବୈଠକରେ କଳାହାଣ୍ଡି ଜିଲ୍ଲାର ୧୩ ଗୋଟି ବ୍ଲକର ପଞ୍ଚାୟତ ମାନଙ୍କରେ ଥିବା ରାତ୍ର ଜଗୁଆଳି ଓ ଝାଡ଼ୁଦାର ମାନଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ କରିବା, ସାମାଜିକ ସୁରକ୍ଷାରେ ଅନ୍ତର୍ଭୁକ୍ତ କରିବା, ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରିବା ଓ ଅବସରକାଳୀନ ଭତ୍ତା ପ୍ରଦାନ କରିବା ସହ ଓ ମାସିକ ଭତ୍ତା ପ୍ରଦାନ କରିବା ପାଇଁ ସରକାରଙ୍କୁ ନିବେଦନ କରାଯାଇଛି। ଯଦି ସରକାର ଏହାକୁ ଗୁରତ୍ବ ଦେଇ ବିଚାର ନକରନ୍ତି ତାହାହେଲେ ପରିବାର ସହ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଶେଷରେ ମହେନ୍ଦ୍ର କର ଧନ୍ୟବାଦ ଅର୍ପଣ ପରେ ସଭାକାର୍ଯ୍ୟ ଶେଷ କରିଥିଲେ।