
ନର୍ଲା- ୪/୩ (ପ୍ରଦୀପ କୁମାର ଗଉଡ) ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ଉନ୍ନୟନମୂଳକ କାମ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ହେଲେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ କାମ ନିମ୍ନମାନର ହେଉଥିବା ଦେଖିବାକୁ ମିଳିଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ସେରଗଡ ଗାଁ ନିକଟରେ ଭବାନୀପାଟଣା ଆର୍ଏମ୍ସି ପକ୍ଷରୁ ଏକ କଭରସେଡ୍ ନିର୍ମାଣ ହେଉଛି। ହେଲେ ତାହା ନିମ୍ନମାନର କାମ ହେଉଥିବା ଦେଖିବାକୁ ମିଳିଛି। ଫଳରେ ନିର୍ମାଣ କାମ ଆରମ୍ଭରୁ ଗତ ସୋମବାର ଦିନ ସେହି କାମରେ ମାଟି ପକାଇବା ସମୟରେ କଂକ୍ରିଟ ଗାର୍ଡଓ୍ବାଲର କିଛି ଅଂଶ ଭାଙ୍ଗି ପଡିଯାଇଥିଲା। ଯେ କୈାଣସି ନିର୍ମାଣ କାମ ଚାଲୁଥିବା ସମୟରେ ଦାୟିତ୍ଵରେ ଥିବା ଯନ୍ତ୍ରୀ ଉପସ୍ଥିତ ରହି କାମ ତଦାରଖ କରିବା ନିୟମ ଥିଲେ ହେଁ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ କାମ ହେଉଥିବାରୁ ଏଭଳି ଘଟଣା ଦେଖିବାକୁ ମିଳିଛି ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି। ସେହିପରି ବିନା ସୂଚନା ଫଳକରେ ନିର୍ମାଣ କାମ ଚାଲିଥିବା ଦେଖିବାକୁ ମିଳିଛି। ପ୍ରଥମେ ସର୍ବସାଧାରଣଙ୍କ ଅବଗତି ପାଇଁ ନିର୍ମାଣ କାମ ଆରମ୍ଭରୁ ସୂଚନା ଫଳକ ଲଗାଇବା ନିୟମ ଥିଲେ ହେଁ ଏଠାରେ ତାହା କରାଯାଇନାହିଁ। ଫଳରେ ସ୍ଥାନୀୟ ଲୋକେ କେଉଁ ଯୋଜନାରେ, କେତେ ବ୍ୟୟ ଅଟକଳରେ କାମ ଚାଲିଛି ଜାଣିପାରୁ ନାହାଁନ୍ତି। ଏ ନେଇ ବିଭାଗୀୟ ଯନ୍ତ୍ରୀ ଏସ ପାଣ୍ଡେକୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ ହେଁ ଫୋନ୍ ଉଠାଇ ନ ଥିଲେ। ପରେ ଭବାନୀପାଟଣା ଆର୍ ଏମ୍ ସିର ମାର୍କେଟ ସରକାର କୁନୁ ପାଢ଼ୀଙ୍କୁ ପଚାରିବାରୁ ମୁଁ ଏ ବିଷୟରେ କିଛି ଜାଣିନାହିଁ ବୋଲି ଉତ୍ତରରେ କହିଥିଲେ। ତେଣୁ ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।