
କେସିଙ୍ଗା ତା ୨୮.୧୧ (ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲ୍ଲା
କେସିଙ୍ଗା ପଞ୍ଚାୟତ ସମିତି ଅନ୍ତର୍ଗତ ବାଲସି ଗ୍ରାମ ପଞ୍ଚାୟତର ସରପଞ୍ଚ ଭାରତୀ ସୁନାଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବ ଗୃହୀତ ପାଇଁ ଆଜି ଗୁରୁବାର ଭୋଟିଂ ଅନୁଷ୍ଠିତ ହୋଇଯାଇଛି। ବାଲସି ସରପଞ୍ଚଙ୍କ ବିଷୟରେ ଆଲୋଚନା ପାଇଁ ଓ ଅନାସ୍ଥା ପ୍ରସ୍ତାବ ଗୃହିତ କରିବା ପାଇଁ ବାଲସି ଗ୍ରାମ ପଞ୍ଚାୟତରେ ସ୍ବତନ୍ତ୍ର ସମିତି ବୈଠକ ଡକାଯାଇଥିଲା। ଏହି ବୈଠକରେ ବାଲସି ଗ୍ରାମ ପଞ୍ଚାୟତର ୧୨ ଜଣ ୱାର୍ଡ ସଭ୍ୟ/ସଭ୍ୟାଙ୍କ ମଧ୍ୟରୁ ସରପଞ୍ଚଙ୍କ ବିରୋଧରେ ୧୧ଜଣ ଗୁପ୍ତ ଭୋଟ ପ୍ରଦାନ କରିଛନ୍ତି। ଫଳରେ ଭାରତୀ ସୁନା ପରାଜୟ ହୋଇଥିବାରୁ ଅଞ୍ଚଳବାସୀଙ୍କ ମନରେ ଆନନ୍ଦ ଲହରୀ ଖେଳିଯାଇଛି।ମନେରେଗା ଯୋଜନାରେ ବ୍ୟାପକ ଦୁର୍ନୀତି କରି ସାଢ଼େ ତିନି ଲକ୍ଷ ଟଙ୍କା ଆତ୍ମସାତ କରିଥିବାରୁ ସରପଞ୍ଚଙ୍କ ବିରୁଦ୍ଧରେ ଭିଜିଲାନ୍ସ କେଶ୍ ମଧ୍ୟ ହୋଇଛି। ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଗ୍ରାମ ପଞ୍ଚାୟତରେ ବାଧା ସୃଷ୍ଟି କରି ଥିବାରୁ ଜନସାଧାରଣ ଆଜି ଖୁସି ମନେ କରୁଛନ୍ତି।
ଅନାସ୍ଥା ପ୍ରସ୍ତାବ ଗୃହିତ କରିବା ପାଇଁ ଗୁରୁବାର ୧୧.୦୦ ଘଟିକା ସମୟରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହ ଠାରେ ପ୍ରାଧିକୃତ ଅଧିକାରୀ ବଳଦେବ ବେହେରା, ଓ.ପ୍ର.ସେ ତହସିଲଦାର, ନର୍ଲାଙ୍କ ଅଧ୍ୟକ୍ଷତାରେ ଓଡିଶା ଗ୍ରାମ ପାଞ୍ଚାୟତ ଆଇନ ୧୯୬୪ ର ଧାରା ୨୪ ଓ ଧାରା ୨୪ ର (୧) ଥିବା ବ୍ୟବସ୍ଥା ଅନୁଯାୟୀ ଅନୁଷ୍ଠିତ କରିବା ପାଇଁ ସ୍ଥିର କରାଯାଇଥିଲା। ଏ ସଂକ୍ରାନ୍ତରେ ଗ୍ରାମ ପଞ୍ଚାୟତ ଅଫିସର ଲମ୍ବୁ ଶିଖାଙ୍କୁ ପଚାରି ବାରୁ ୧୨ଜଣ ୱାର୍ଡ ମେମ୍ବରଙ୍କ ମଧ୍ୟରୁ ୧୧ଜଣ ବାଲସି ସରପଞ୍ଚ ଭାରତୀ ସୁନାଙ୍କ ବିପକ୍ଷରେ ଭୋଟ ପ୍ରଦାନ କରିଛନ୍ତି। ବାଲସି ଗ୍ରାମ ପଞ୍ଚାୟତ ରେ କାହାକୁ ଅସ୍ଥାୟୀ ସରପଞ୍ଚ ଭାବେ ଦାୟିତ୍ୱ ଦେବେ ତାହା ଆଜି ସନ୍ଧ୍ୟାରେ ଜିଲାପାଳ ଘୋଷଣା କରିବେ ବୋଲି ପ୍ରକାଶ କରିଥିଲେ।