
କେସିଙ୍ଗା ତା ୨୮.୧୨ (ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲ୍ଲାରେ ଧାନ ମଣ୍ଡିରେ ଅବ୍ୟବସ୍ଥା ଓ ବିଭିନ୍ନ ଦାବୀ ନେଇ ସଦର ଭବାନୀପାଟଣା ବିଧାୟକ ସାଗର ଚରଣ ଦାସଙ୍କ ଆହ୍ବାନ କ୍ରମେ କେବଳ ତାଙ୍କ ନିର୍ବାଚନ ମଣ୍ଡଳୀରେ ବନ୍ଦ ପାଳନ ସଫଳତାର ସହ ଶେଷ ହୋଇଛି। ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ କେସିଙ୍ଗା ସହର ଓ ଗ୍ରାମାଞ୍ଚଳ ଚାଷୀଙ୍କ ଅମଳ ଧାନର ଉଚିତ୍ ମୂଲ୍ୟ ପ୍ରଦାନ ଓ କଟନି ଛଟନୀ ବନ୍ଦ କରିବା ସହ ଧାନର ଉଚିତ ମୂଲ୍ୟ ନିର୍ଦ୍ଧାରିତ ସମୟରେ ଦେବାକୁ ନେଇ କେସିଙ୍ଗା କଂଗ୍ରେସ ଟାଉନ୍ ସଭାପତି ସୁଭାଷ ଚନ୍ଦ୍ର ଜୈନଙ୍କ ନେତୃତ୍ବରେ ଆଜି ୨୬ ନଂ ଜାତୀୟ ରାଜପଥ ସକାଳ ୬ ଟାରୁ ବସଷ୍ଟାଣ୍ଡ ନିକଟରେ ଆନ୍ଦୋଳନକାରୀ ମାନେ ବନ୍ଦ ପାଳନ କରିଛନ୍ତି। ଦୀର୍ଘଦିନ ଧରି ଚାଷୀମାନଙ୍କ ଅମଳ ଧାନରୁ ମିଲର୍ସ ଓ ପେକ୍ସ ଅଧିକାରୀମାନେ ମିଳିତ ଭାବେ ଧାନ କୁଇଣ୍ଟାଲ ପିଛା ୭ କେଜିରୁ ଅଧିକ ଧାନ କଟନି ଛଟନୀ କରୁଛନ୍ତି । ଧାନମଣ୍ଡି ମାନଙ୍କରେ କୌଣସି ସୁବିଧା ନଥିବାବେଳେ ଖୋଲା ଆକାଶ ତଳେ ଶହ ଶହ କୁଇଣ୍ଟାଲ ଧାନ ଖରାବର୍ଷା, କାକରରେ ପଡ଼ିରହିଛି । ଏଣୁ ବିଧାୟକ ଶ୍ରୀ ଦାସ ବିଳମ୍ବରେ ମଣ୍ଡି ଖୋଲିଥିବାରୁ ଟୋକନ୍ ର ସମୟ ସୀମା ବୃଦ୍ଧି, ଚାଷୀଙ୍କ ଋଣ ଛାଡ କରିବା, ଫସଲ ବୀମା ଦିଆଯାଉ ବୋଲି ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏହି ବନ୍ଦ ପାଳନ ବେଳେ ନଗର ସଭାପତି ସୁବାସ ଜୈନ ଓ ବିଜୟ ଦୀପଙ୍କ ନେତୃତ୍ୱରେ ସହରର ବିଭିନ୍ନ ଛକ ମାନଙ୍କରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ତେଣୁ ରାସ୍ତାର ଦୁଇ ପାର୍ଶ୍ବରେ ଯାନବାହାନ ଅଟକି ରହିଥିଲା ବେଳେ ସହରରେ ଦୋକାନ ବଜାର ବନ୍ଦ ରହିଥିଲା । ଦୂର ସ୍ଥାନକୁ ଯାତାୟତ କରୁଥିବା ଗାଡ଼ି ମଟର ଅଟକି ରହିବା ଫଳରେ ଯାତ୍ରୀମାନେ ନାନା ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଥିଲା। କେସିଙ୍ଗା ଏନ୍ଏସିର ବୋରିଙ୍ଗପଦର ଛକ ଠାରୁ ବଲାଙ୍ଗିର ଛକ ଯାଏ ପ୍ରାୟ ତିନି କିମି ଦୂରଯାଏ ସମସ୍ତ ଯାନ ବାହାନ ଅଟକି ରହିଛି। ଏହି ବନ୍ଦ ଡାକରାରେ ପୂର୍ବତନ ନଗରପାଳ ରାମଜୀ ମାତ୍ ଖଣ୍ଡିଆ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାମରାଲ ସୁନାନୀ, କଂଗ୍ରେସ ବ୍ଲକ ସଭାପତି ରାହାସ ସାହୁ, କାଉନସିଲ୍ର ରୋହିତ ଜୈନ, ପ୍ରତାପ ବାଗ, ହେମରାଜ୍ ସାହାଙ୍କ ସମେତ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ରହି ଜାତୀୟ ରାଜପଥକୁ ଅବରୋଧ କରିଥିଲେ।