ମଣ୍ଡଳ ଓ ବିଜମରା ବିଦେଶୀ ମଦ ଦୋକାନକୁ ଅହେତୁକ ଅନୁକମ୍ପା

କଲମପୁର,୬/୧(ଗଣେଶରାମ ବାଗ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଅବକାରୀ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅଧିନରେ ରହିଥିବା ବିଦେଶୀ ମଦ ଦୋକାନ ମାନଙ୍କ ମଧ୍ୟରୁ କଲମପୁର ବ୍ଲକ ଅଞ୍ଚଳରେ ୪ଟି ବିଦେଶୀ ମଦ ଦୋକାନ ଓ ୨ଟି ଦେଶୀ ରନ୍ଧା ମଦଭାଟି ରହିଛି । ସେଥିମଧ୍ୟରେ ମଣ୍ଡଳ ଓ ବିଜମରା ଠାରେ ଅବସ୍ଥାପିତ ଠିପି ଖୋଲା ବିଦେଶୀ ମଦ ଦୋକାନ ଅନ୍ୟତମ । ଏହି ଦୁଇ ମଦ ଦୋକାନ ନାମରେ ଦୀର୍ଘ ଦିନ ହେଲା ବିଭିନ୍ନ ପ୍ରକାରର ଅନିୟମିତତା ଅଭିଯୋଗ ହୋଇ ଆସୁଛି । ଖାଉଟିଙ୍କ ଅଭିଯୋଗ ଅନୁସାରେ ଏହି ଦୋକାନରେ ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ଦାମ୍ ଖୋଲାଖୋଲି ଭାବେ ନିଆଯାଉଛି। ଗୋଟିଏ ରୋୟାଲଷ୍ଟେଜ ନିବ୍ ର ଦାମ୍ ୨୧୦ଟଙ୍କା ଧାର୍ଯ୍ୟ ମୂଲ୍ୟ ରହିଥିବା ବେଳେ ଅଧିକ ୨୦ଟଙ୍କା ଯୋଗ କରି ୨୩୦ ଟଙ୍କାରେ ବିକ୍ରି କରାଯାଉଛି । ତେବେ ଏହି ୨୦ ଟଙ୍କା ଯାଉଛି କୁଆଡ଼େ ? ଗୋଟାଏ ନିବ୍ କୁ ୨୦ଟଙ୍କା ଅଧିକ ନିଆଯାଉଛି ତାହେଲେ ଦିନକୁ କେତେ ଆଦାୟ ହେଉଥିବ ତାହା ଏଥିରୁ ହିଁ ଅନୁମେୟ । ଏଥିପାଇଁ ଖାଉଟି କୋଟି କୋଟି ଟଙ୍କା ଶୋଷଣର ଶିକାର ହେଉଛନ୍ତି । ଏହା ସରକାରୀ ନିୟମର ଖୋଲା ଉଲଂଘନ ହେଉଥିବା ବେଳେ ସଂପୃକ୍ତ ବିଭାଗ ବର୍ଷ ବର୍ଷ ଧରି କାହା ସ୍ଵାର୍ଥରେ ନୀରବଦ୍ରଷ୍ଟା ସାଜିଛି ? ମଦ ବିକ୍ରୟ ସହିତ ବିଲ୍ ଦେବାର ପ୍ରାବଧାନ ରହିଥିବା ବେଳେ ଏହି ଦୋକାନ ଗୁଡିକରେ ନିୟମକୁ ଖୋଲା କରୁଛନ୍ତି। ଦୋକାନ ଖୋଲିବା ଓ ବନ୍ଦ କରିବା ସମୟ ସରକାରୀ ସ୍ତରରେ ନିର୍ଘଣ୍ଟ ହୋଇଥିବା ବେଳେ ଏହାକୁ ମଧ୍ୟ ଖାତିର କରାଯାଉନାହିଁ । ଦୋକାନରେ ମଦ ବିକ୍ରୟ ହେବା ସହିତ ଗାଁ ଗାଁକୁ ମଦ ନିୟମିତ ଭାବେ ଚୋରା ଚାଲାଣ ହେବାରେ ଲାଗିଛି। ବିଗତ ଦିନରେ ଏହି ଦୋକାନ ମାନଙ୍କ ନାମରେ ସଙ୍ଗୀନ ଅଭିଯୋଗ ହୋଇଥିଲା । ପ୍ରାତଃରୁ ମଦ ବିଭିନ୍ନ ଗ୍ରାମକୁ ଗାଡି ମଟରରେ ଦ୍ବାରା ଚାଲାଣ ହେବା ପରେ ରାସ୍ତା ପାର୍ଶ୍ବରେ ଥିବା ବିକ୍ରୟ କେନ୍ଦ୍ର ଖୋଲାଯିବା ଘଟଣା ନିତିଦିନ ଘଟିଚାଲିଛି। ଅସାଧୁ ମଦ ବ୍ୟବସାୟୀ ମାନଙ୍କ ଉପରେ ଅଙ୍କୁଶ ଲଗାଯିବ ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହାହିଁ ବଡ ପ୍ରଶ୍ନ ପାଲଟିଛି । ଏନେଇ ଜୁନାଗଡ଼ ଅବକାରୀ ନିରୀକ୍ଷିକା ଲକ୍ଷ୍ମୀପ୍ରିୟା ମଲ୍ଲିକଙ୍କ ସହିତ ବାରମ୍ବାର ଯୋଗାଯୋଗ କଲେ ମଧ୍ୟ ସମ୍ଭବ ହୋଇ ପାରିନଥିବା ବେଳେ କଳାହାଣ୍ଡି ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାୟକଙ୍କୁ ଏ ବିଷୟରେ ଅବଗତ କରାଯିବା ପରେ ସେ ଏ ବିଷୟରେ ଖବର ପ୍ରସାରଣ ପରେ କାର୍ଯାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଥିଲେ। ଖବର ପ୍ରସାରଣ ପରେ କ’ଣ କାର୍ଯାନୁଷ୍ଠାନ ନିଆଯିବ ତାହା ଆଗାମୀ ଦିନରେ ଜଣାପଡିବ।

Leave a Reply

Your email address will not be published. Required fields are marked *