କେସିଙ୍ଗା – ୧୯/୪ ଗତକାଲି ରାତିରେ କେସିଙ୍ଗା ଥାନା ଅନ୍ତର୍ଗତ ଦେଓଗାଁର ୧୩ ଜଣ ଯୁବକ ପୂର୍ବ ଶତ୍ରୁତା ଘଟଣାକୁ ନେଇ ଜାମଯୋର ଗ୍ରାମର କ୍ଷୀରସିନ୍ଧୁ ଶବରଙ୍କୁ ବାଡେଇ ଏକ ଯାଗାରେ ପକାଇ ଦେଇଥିଲେ। ତେବେ ଗ୍ରାମର କିଛି ଲୋକ ତାକୁ ଖୋଜିଥିଲେ ମଧ୍ୟ ପାଇନଥିଲେ। ଆଜି ପୁଣି ଖୋଜାଖୋଜି ପରେ କ୍ଷୀରସିନ୍ଧୁ ଏକ ଆମ୍ବ ତୋଟାରେ ପଡିଥିବା ଦେଖିବାକୁ ପାଇଥିଲେ। ଏହାପରେ ତୁରନ୍ତ ତାକୁ ଚିକିତ୍ସା ପାଇଁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ବର୍ତ୍ତମାନ ସୁଦ୍ଧା ସେଠାରେ ତା’ର ଚିକିତ୍ସା ଚାଲିଥିବା ଖବର ମିଳିଛି। ଏଣୁ କ୍ଷୀରସିନ୍ଧୁୁର ଝିଅ ଜନ୍ମୀତା ଶବର କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା କେଶ୍ ନଂ ୨୧୫/୧୯. ୪. ୨୦୨୫ ୟୁ/ଏସ ୧୮୯(୨), ୧୮୯(୪)/୧୧୫(୨)/୧୨୭(୨)/୧୦୯(୧)/୩୨୪(୪)/୧୯୦ ରେ ମାମଲା ରୁଜୁ କରିଥିଲେ। ଏହାପରେ କେସିଙ୍ଗା ପୁଲିସ ଦେଓଗାଁକୁ ଯାଇ ପଚରାଉଚୁରା କରିବା ସହିତ ୧୩ ଜଣଙ୍କୁ ଗିରଫ କରି ଅଧିକ ତଦନ୍ତ ପାଇଁ ଥାନାକୁ ଆଣିଥିଲେ। ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୧୧ ଜଣ ସାବାଳକ ଥିବାବେଳେ ୨ ଜଣ ନାବାଳକ ଥିଲେ। ତେବେ ୧୧ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ୨ ଜଣ ନାବାଳକଙ୍କୁ ପ୍ରିନ୍ସପାଲ ମାଇନର୍ ଜୁଭେନାଇଲ୍ ଜଷ୍ଟିସ ବୋର୍ଡକୁ ପଠାଇ ଦିଆଯାଇଛି।