
କେସିଙ୍ଗା- ୧୫/୧୨ କଳାହାଣ୍ଡି ଜିଲ୍ଲାରେ ୨୦୧୬ ମସିହାରେ ଆଦିବାସୀ ବହୁଳ ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ନାକରୁଣ୍ଡି ଗ୍ରାମର ଦାନ ମାଝୀ ନିଜ ସ୍ତ୍ରୀ ର ଶବକୁ କାନ୍ଧରେ ୧୦ କିମି ବାଟ ବୋହି ଆଣିବା ଘଟଣା ଯୋଗୁଁ ପୂର୍ବ ବିଜେଡି ସରକାର ସାରା ବିଶ୍ୱରେ ନିନ୍ଦିତ ହୋଇଥିଲା। ତେବେ ଏବେ ବି ପ୍ରଶାସନିକ ଅଧିକାରୀ ହେଉ ଅବା ସରକାରଙ୍କ ଖାମଖିଆଲି ନୀତି ଯୋଗୁଁ ସରକାର ବଦନାମ୍ ହେବାରେ ଲାଗିଛନ୍ତି। କହିବାର ତାତ୍ପର୍ଯ୍ୟ ହେଲା କଳାହାଣ୍ଡି ଜିଲ୍ଲାର ସେହି ଆଦିବାସୀ ବହୁଳ ଲାଞ୍ଜିଗଡ଼ ବ୍ଲକର ବିଶ୍ବନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମହାପ୍ରୟାଣ ଗାଡି ଅଭାବ ଯୋଗୁଁ ଗୋଟିଏ ଶବର ପରିବାର ଲୋକେ ଉକ୍ତ ଶବକୁ ବାଇକ୍ ରେ ବୋହି ଆଣିବାକୁ ପଡିଛି। ସୂଚନା ମତେ ବ୍ଲକର କୁମଖାଲ ପଞ୍ଚାୟତ ଅନ୍ତର୍ଗତ ମୁନିଗୁଡା ଗ୍ରାମର ନନ୍ଦ ମାଝୀଙ୍କ ଝିଅ ସନ୍ଧ୍ୟା ମାଝୀ (୧୨) କୈାଣସି ରୋଗରେ ଆକ୍ରାନ୍ତ ହୋଇ ବିଶ୍ବନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥଲା। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ବୁଧବାର ସନ୍ଧ୍ୟା ପରେ ତା’ର ମୃତ୍ୟୁ ଘଟିଥିଲା। ତେଣୁ ପରିବାର ଲୋକେ ତାକୁ ଘରକୁ ଆଣିବା ଲାଗି ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀଙ୍କୁ ଆମ୍ବୁଲାନ୍ସ କିମ୍ବା ମହାପ୍ରୟାଣ ଗାଡି ପାଇଁ କହିବା ସହିତ ନିଜେ ଖୋଜିଥିଲେ ମଧ୍ୟ ମିଳିନଥିଲା। ଅନ୍ୟପକ୍ଷରେ ପରିବାରର ଆର୍ଥିକ ଅନାଟନ ଯୋଗୁଁ ବେସରକାରୀ ଗାଡି ମଧ୍ୟ ଠିକ୍ କରିପାରିନଥିଲେ। ତେଣୁ ବାଧ୍ୟ ହୋଇ ଏକ ବାଇକ୍ ଯୋଗେ ୧୨ କିମି ଦୂର ନିଜ ଗାଁ କୁ ଆଣିଥିଲେ। ତେବେ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଶବବାହକ ମହାପ୍ରୟାଣ ଗାଡି ଟିଏ ନଥିବାରୁ ଅଞ୍ଚଳର ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ତୁରନ୍ତ ଏଭଳି ଅଭାବନୀୟ ଘଟଣା ପ୍ରତି ଦୃଷ୍ଟି ଦେଇ ଗୋଟିଏ ମହାପ୍ରୟାଣ ଗାଡି ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।