ମିଶନ ଶକ୍ତି ବିଭାଗ ପକ୍ଷରୁ ଲକ୍ଷପତି ଦିଦି କାର୍ଯ୍ୟକ୍ରମ

ଭବାନୀପାଟଣା-୧୧/୩ ଆଜି ମା ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ଷ୍ଟାଡିୟମ (ଖେଳ ପଡିଆ) ଠାରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓଡିଶା ଜୀବିକା ମିଶନ, ମିଶନ ଶକ୍ତି ବିଭାଗ ମାଧ୍ୟମରେ ଲକ୍ଷପତି ଦିଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଶ୍ରୀ ପାୱାର ସଚିନ ପ୍ରକାଶ ପ୍ରଦୀପ ପ୍ରଜ୍ବଳନ କରି କରି ଏହି ମହିଳା ଉଦ୍ୟୋଗ ବିକାଶ ବାର୍ତ୍ତା ସହ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି | ପ୍ରଥମେ ଓଡିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ଶ୍ରୀ ଚନ୍ଦନ କୁମାର ବେହେରା ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଲକ୍ଷପତି ଦିଦି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ, ମହିଳାମାନଙ୍କ ସାମାଜିକ, ଆର୍ଥିକ ସଶକ୍ତିକରଣ ବିକାଶ ସହ ମହିଳା ମାନଙ୍କୁ ଉଦ୍ୟୋଗୀ ଭାବେ ବିକଶିତ କରି ସ୍ୱାବଲମ୍ବୀ କରିବା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ | ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦୟାମୟ ପାଢ଼ୀ କଳାହାଣ୍ଡି ଜିଲ୍ଲାରେ ଲକ୍ଷପତି କାର୍ଯ୍ୟକ୍ରମର ଅଗ୍ରଗତି ସମ୍ବନ୍ଧରେ ସୂଚନା ଦେବା ସହ ଲକ୍ଷପତି ଦିଦି ବିକାଶ ନିମନ୍ତେ ମହିଳା ମାନଙ୍କ ତାଲିମ୍, ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ | ମୁଖ୍ୟଅତିଥି ଜିଲ୍ଲାପାଳ ଶ୍ରୀ ପାୱାର ସଚିନ ପ୍ରକାଶ ମହିଳା ମାନଙ୍କୁ ଲକ୍ଷପତି ଦିଦି ବିକାଶ ଯୋଜନା ରେ ସାମିଲ ହେବା ପାଇଁ ସରକାରଙ୍କ ପଦକ୍ଷେପ, ଜୀବିକାର ବିକାଶ ବିଷୟରେ ଆହ୍ୱାନ ଦେଇଥିଲେ ଓ ଜିଲ୍ଲାର୧୩ ଟି ବ୍ଲକ ରୁ ୧୩ ଜଣ ଲକ୍ଷପତି ଦିଦିମାନଙ୍କୁ ସେମାନଙ୍କ କଠିନ ପରିଶ୍ରମ, ସଫଳତା, ଦୃଢ ଇଛାଶକ୍ତି ପାଇଁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ | ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ମଳୟ କୁମାର ପରିଡା କୃଷି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ମହିଳା ମାନଙ୍କ ପାଇଁ ବିଭିନ୍ନ ଯୋଜନା ଯଥା ଶ୍ରୀ ଅନ୍ନ ଯୋଜନା, କୃଷି ଯନ୍ତ୍ରପାତି, ପ୍ରାକୃତିକ କୃଷି ପ୍ରଭୃତି ସେମାନଙ୍କୁ ଲକ୍ଷପତି କରିବା ପାଇଁ କିପରି ସହାୟକ ହୋଇ ପାରିବ, ସେ ବିଷୟରେ ଉପସ୍ଥାପନା କରିଥିଲେ| ଜିଲ୍ଲା ମୁଖ୍ୟ ଉଦ୍ୟାନ ଅଧିକାରୀ ଶ୍ରୀ ଵିଷ୍ଣୁ ପ୍ରସାଦ ସିଂ ମହିଳା ଲକ୍ଷପତି ଦିଦି ମାନଙ୍କୁ ଜୈବିକ କୃଷି, ଛତୁ ଚାଷ, ବୃନ୍ଦା ଜଳସେଚନ, ତୈଳବୀଜ ଉଦ୍ୟାନ କୃଷି ଯୋଜନା ମହିଳା ମାନଙ୍କୁ କିଭଳି ଲକ୍ଷପତି କରାଇବାରେ ସହାୟକ ହେବା ବୋଲି ବକ୍ତବ୍ୟ ରଖିଥିଲେ | ଜିଲ୍ଲା ମଛ୍ୟସମ୍ପଦ ଅଧିକାରୀ ସୁଶ୍ରୀ ଦ୍ରୌପଦୀ ମାଝୀ ସରକାରଙ୍କ ମାଛ ଚାଷ ଯୋଜନା ବିଷୟରେ ଅବଗତ କରାଇଥିଲେ | ଡା. ନିରୋଦ କହଁର, ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ପ୍ରାଣୀ ସମ୍ପଦ ବିଭାଗ ଦ୍ୱାରା ପରିଚାଳିତ ଯୋଜନା ଯଥା ୩୦+୨ ମଡେଲ, ୧୦+୧ ମଡେଲ ଛେଳି ଚାଷ, ୫୦୦ ବ୍ରଏଲର କୁକୁଡ଼ା, ଦେଶୀ କୁକୁଡ଼ା ଚାଷ, ଗୋଖାଦ୍ୟ ପାଇଁ ଘାସ ଚାଷ ଇତ୍ୟାଦି ଯୋଜନା ମହିଳା ମାନଙ୍କୁ ଲକ୍ଷପତି ହେବାରେ ସହାୟକ ହୋଇପାରିବ ବୋଲି ଉପସ୍ଥାପନା କରିଥିଲେ | ଏହି କାର୍ଯ୍ୟକ୍ରମରେ ସଫଳ ଲକ୍ଷପତି ଦିଦି ଭାବେ ବାସନ୍ତୀ ହରିଜନ, ତେନ୍ତୁଳିପଙ୍ଗା ଗ୍ରାମ, ଲାଞ୍ଜିଗଡ ବ୍ଲକ ସେ କିଭଳି ଏକ ଦାଦନ ସମସ୍ୟାରୁ ସରକାରଙ୍କ ପରିଚାଳିତ ଓଡିଶା ଜୀବିକା ମିଶନ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ ରେ ସାମିଲ ହୋଇ ପଞ୍ଚାୟତ ମହିଳା ସଂଘ ରୁ ଋଣ ନେଇ ଉଦ୍ୟାନ ବିଭାଗର କୃଷି ଓ ପ୍ରଦାନସଂସ୍ଥା ମାଧ୍ୟମ ରେ ସୌର ଉଠାଜଳସେଚନ ପ୍ରକଳ୍ପ, ଜନସ୍ବାସ୍ଥ୍ୟ ବିଭାଗ ଦ୍ୱାରା ତାଲିମ ପାଇ କିପରି ଲକ୍ଷପତି ହୋଇପାରିଛନ୍ତି ସେ ବିଷୟରେ ନିଜର ଅନୁଭୁତି କହିଥିଲେ | ସେହିପରି କୋକସରା ବ୍ଲକ ବଞ୍ଜରୀ ସ୍ୱୟଂ ସହାୟକ ଗୋଷ୍ଠୀ ର କୌଶଲ୍ୟା ନାଏକ ପ୍ରାଣୀସମ୍ପଦ ବିଭାଗର ବତକ ଚାଷ ଯୋଜନାରେ ସାମିଲ ହୋଇ ଲକ୍ଷପତି ହେବାର ଅନୁଭୂତିକୁ ମଞ୍ଚରେ ପ୍ରକାଶ କରିଥିଲେ |

Leave a Reply

Your email address will not be published. Required fields are marked *