ଭୁବନେଶ୍ୱର-୭/୩ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶକ୍ତି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିଛନ୍ତି। ଆଗାମୀ ଗ୍ରୀଷ୍ମଋତୁରେ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଏବଂ ପି.ଏମ୍. ସୂର୍ଯ୍ୟଘର ଯୋଜନାରେ ରାଜ୍ୟରେ ଅଧିକ ଲୋକଙ୍କୁ ସାମିଲ୍ କରିବା ସମ୍ପର୍କରେ ଆଲୋଚନା ହୋଇଛି।ଏହାସହ ଖରାଦିନେ ସାଧାରଣତଃ ଓଭରଲୋଡିଂ ସମସ୍ୟା ଯୋଗୁଁ ବିଦ୍ୟୁତ୍ କାଟକୁ ପ୍ରତିହତ କରିବା ପାଇଁ ଫିଡର ଓ ଟ୍ରାନ୍ସଫରମର୍ ଗୁଡ଼ିକୁ ଅପଗ୍ରେଡ୍ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିବା ସହ ବିଦ୍ୟୁତ୍ ଯୋଗାଣ କ୍ଷେତ୍ରରେ ଏକ ସୁଦୃଢ଼ ବ୍ୟାକ୍ଅପ୍ ବ୍ୟବସ୍ଥା ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଏପରିକି ପିକ୍ ଆୱାର’ର ଚାହିଦାକୁ ମେଣ୍ଟାଇବା ପାଇଁ ବିଭିନ୍ନ ଶକ୍ତି ଉତ୍ପାଦନକାରୀ କମ୍ପାନୀମାନଙ୍କ ସହିତ ଆଲୋଚନା କରି ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଶକ୍ତି ଉପଲବ୍ଧ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହାବ୍ୟତୀତ ଖରାଦିନରେ ରାଜ୍ୟରେ ନିରବଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ କାର୍ଯ୍ୟରତ ସମସ୍ତ ବିଦ୍ୟୁତ୍ ବିତରଣ କମ୍ପାନୀ ସଜାଗ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।