
କେସିଙ୍ଗା – କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ୩୨୬ କୋଟି ଟଙ୍କା ବ୍ୟୟ ଅଟକଳରେ ତେଲନଦୀ ପାଖାପାଖି ଏକ ବାଇପାସ୍ ରାସ୍ତା ସହ ଓଭର ବ୍ରିଜ୍ ନିର୍ମାଣ ପାଇଁ ରାଜଲକ୍ଷ୍ମୀ ଠିକାସଂସ୍ଥା ନିଯୁକ୍ତି ପାଇ କାମ ଆରମ୍ଭ କରିଛି। କିନ୍ତୁ କାମ ଆରମ୍ଭ କରିବା ଦିନଠାରୁ ଅର୍ଥବଳ ଦ୍ବାରା ବିଭିନ୍ନ ଅଘଟଣ ଘଟାଇ ଚାଲିଥିଲା ବେଳେ ଖଣିଜ ସଂପଦର ନିୟମକୁ ବେଖାତିରି କରି ଏବେ ମନମୁଖୀ ଭାବେ ଯୋଲକ ନିକଟସ୍ଥ ଓ୍ବେୟାର ହାଉସ ପାଖ ଏକ ଘରୋଇ ଜମିରୁ ଅଧିକ ମାଟି ଖୋଳି ନେଇ ରାସ୍ତା କାମ କରୁଛି। ଏଠାରେ ଉଲ୍ଲେଖଯୋଗ୍ୟ ପ୍ରଥମେ ରାସ୍ତା ଉପରେ ଫ୍ଲାଏ ଆସ ଜମାକରି ରଖିବା ଫଳରେ ବର୍ଷା ଯୋଗୁଁ ସେଗୁଡିକ ବୋହିଯାଇ ଚାଷଜମି ନଷ୍ଟ ହୋଇଥବା ନେଇ ଚାଷୀମାନେ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣିନଥିଲେ। ତେବେ ଏନେଇ କେସିଙ୍ଗା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରି କ୍ଷତିପୂରଣ ଦେବା ପାଇଁ ଦାବି କରାଯାଇଥିଲା। କିନ୍ତୁ କିଛି ସୁଫଳ ମିଳିନଥିଲା। ପୁନଃ କିଛିଦିନ ଠିକାସଂସ୍ଥାର ହାଇଓ୍ବା ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେବା ଫଳରେ ସହରରେ ଦୀର୍ଘ ସମୟ ଧରି ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଯାଇଥିଲା। ସେହିପରି ଆଉ କିଛି ଅଳ୍ପଦିନ ବ୍ୟବଧାନରେ ପୁଣି ଆଉ ଏକ ହାଇଓ୍ବା ଗାଡ଼ି ଦ୍ରୁତ ଗତିରେ ଆସି ବିଦ୍ୟୁତ ଲାଇନରେ ଲାଗିଯିବାରୁ ତାହା ଜଳିଯାଇଥିଲା। ପୁନଃ ସହରରେ ବିଦ୍ୟୁତ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା। ନୂତନ ରାସ୍ତା ନିର୍ମାଣ ପାଇଁ ମାଟି, ବାଲି ଆବଶ୍ୟକ ଥିବାବେଳେ ଏଥିନିମନ୍ତେ ପ୍ରଥମେ ଖଣିଜ ବିଭାଗରେ ରୟାଲଟି ବାବଦ ଟଙ୍କା ଜମା କରିବା ପରେ କେତେ ପରିମାଣରେ କେଉଁ ସ୍ଥାନରୁ ମାଟି ନେବ ତାହାର ଆଦେଶ ପତ୍ର ଆଣିବ । ସେହି ଆଦେଶ ପତ୍ରର ଏକ ନକଲ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କୁ ଦେବା ପରେ ମାଟି ଖନନ କରି ମାଟି ନେବା କଥା। କିନ୍ତୁ ଉକ୍ତ ଠିକାସଂସ୍ଥା ସେହି ନିୟମକୁ ବେଖାତିରି କରି ରାଜସ୍ୱ ନିରୀକ୍ଷକଙ୍କୁ ନଜଣାଇ ମନଇଚ୍ଛା ମାଟି ଖନନ କରି ନେଉଛି। ଅନ୍ୟପକ୍ଷେ ଖଣି ବିଭାଗ ଉକ୍ତ ଜମିରୁ ଠିକାସଂସ୍ଥା ଆବଶ୍ୟକ ଠାରୁ ଅଧିକ ପରିମାଣରେ ମାଟି ଉଠାଣ କରିଥିବା ଅଭିଯୋଗ କରିଛି। ଏକ ଅସମର୍ଥିତ ସୂତ୍ରରୁ ପ୍ରକାଶ ଯେ ଠିକାସଂସ୍ଥା ପାଇଥିବା ପରମିଶନ୍ ଅନୁସାରେ ୫ ହଜାର ସିଏମ୍ ମାଟି ନେବା ପରିବର୍ତ୍ତେ ୫୦ ହଜାର ସିଏମ୍ ମାଟି ନେଇଥିବା ଅଭିଯୋଗ ହେଉଛି। ଏଣୁ ଖଣି ବିଭାଗ ଏହାର ତଦନ୍ତ କରିବାକୁ ଦାବି କରାଯାଇଛି।