
କେସିଙ୍ଗା,୧୧.୧୨- (ତୁମେଶ୍ୱର ସାହୁ):- ରାଜ୍ୟସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ୨୦୨୪ ରେ ୩୦ ଗୋଟି ଜିଲ୍ଲାର ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ କଳାହାଣ୍ଡି ଜିଲ୍ଲା ଟାଏକୋଣ୍ଡ ଫେଡରେସନ୍ ର ସମ୍ପାଦକ ବବ୍ରୁବାହନ ବୁଦ୍ଧିଆଙ୍କ ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଜିଲ୍ଲାରୁ ୧୨ ଜଣ ଖେଳାଳୀ କୋଚ ସୋମେଶ୍ୱର ଗୌଡ଼ଙ୍କ ତତ୍ତ୍ବାବଧାନରେ ଏବଂ ବ୍ଲାକପାନ୍ଥର ଟାଏକୋଣ୍ଡୋ ଏକାଡେମୀ ମ. ରାମପୁର ସଭାପତି ଋଷଭ ମାଝୀଙ୍କ ସହଯୋଗରେ ଅଂଶଗ୍ରହଣ କରିଥିଲେ l ସେଥିମଧ୍ୟରୁ କଳାହାଣ୍ଡି ଜିଲ୍ଲା ଦୁର୍ଗମ ଅଞ୍ଚଳ ତଥା ବଣ ପାହାଡ ଘେରା ଥୁଆମୂଳ ରାମପୁର ବ୍ଲକର ୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସେମାନେ ହେଲେ ଗୋପାଳପୁରର ଲାବଣ୍ଯ ନାଏକ ଏବଂ ପୁରୁଷୋତ୍ତମ ନାଏକ ଦୁହେଁ କାଂସ ପଦକ ହାସଲ କରିଛନ୍ତି l ଏହି ସଫଳତା ଥୁଆମୂଳ ରାମପୁର ସହରର ପାଇଁ ଗୌରବ ଆଣିଥିବା ବେଳେ ଏମାନଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି l ସେହିପରି କଲମପୁର ବ୍ଲକ୍ ର ବସନ୍ତ ଦୁର୍ଗା ଏବଂ ନେତ୍ରାନନ୍ଦ ବେମାଲ ଉଭୟେ ଅଂଶଗ୍ରହଣ କରିଥିଲେ। ତାଙ୍କ ମଧ୍ୟରୁ ବସନ୍ତ ଦୁର୍ଗା ରୋପ୍ୟ ପଦକ ହାସଲ କରିଛନ୍ତି l ଯାହାକୁ ନେଇ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି l ସେହିଭଳି ମ.ରାମପୁର ବ୍ଲକ୍ ର ୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ତାଙ୍କ ମଧ୍ୟରୁ ଡୋଲେଶ୍ବର ଭୋଇ କାଂସ ପଦକ ପାଇଛନ୍ତି l ସେଭଳି କେସିଙ୍ଗା ବ୍ଲକର ଆନନ୍ଦ କୁମାର ସେନାପତୀ ଅଂଶଗ୍ରହଣ କରି ସେ ମଧ୍ୟ କାଂସ ପଦକ ହାସଲ କରିଛନ୍ତି। ନର୍ଲା ବ୍ଲକ୍ ରୁ ୫ଜଣ ପ୍ରତିଯୋଗୀ ଅଂଶଗ୍ରହଣ ଥିଲେ। ସେମାନଙ୍କ ମଧ୍ୟରୁ ଋଷଭ ମାଝୀ ଏବଂ ଡୋଳମଣୀ ମାଝୀ କାଂସ ପଦକ ହାସଲ କରି ଜିଲ୍ଲା ତଥା ନିଜ ବ୍ଲକ୍ ପାଇଁ ଗୌରବ ଆଣିଛନ୍ତି l ସୂଚନା ଯୋଗ୍ୟ ଯେ ରାଜ୍ୟସ୍ତରୀୟ ଏହି ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାରୁ ପାଖାପାଖି ୪୫୦ ରୁ ଉର୍ଦ୍ଧ୍ବ ଖେଳାଳି ଅଂଶଗ୍ରହଣ କରିଥିଲେ l ଭଦ୍ରକ ଜିଲ୍ଲାସ୍ଥିତ ମାହାୱାର ଭବନଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ମୁଖ୍ୟ ଭାବରେ ସ୍ଥାନୀୟ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଓ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତ ରାଏ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଭଦ୍ରକ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଂଶୁମାନ ଦ୍ୱିବେଦୀ, ଭଦ୍ରକ ଜିଲ୍ଲା ଟାଏକୋଣ୍ଡା ଏକାଡେମୀ ସଭାପତି ରଞ୍ଜିତା ସ୍ୱାଇଁଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ବିଜେତା ପ୍ରତିଯୋଗୀଙ୍କୁ ମାନପତ୍ର ସହ ପଦକ ପ୍ରଦାନ କରି ବିଭିନ୍ନ ଜିଲ୍ଲାରୁ ଯାଇଥିବା ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ l