
କଲମପୁର- ୧୨/୨(ଗଣେଶରାମ ବାଗ) କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅଞ୍ଚଳରେ ଅଭାବ ଅନାଟନର ଶିକାର ହୋଇ ଗୋଟିଏ ପରିବାରର ଜନୈକା ନାବାଳିକା ଦାଦନ ସର୍ଦ୍ଦାର ନିକଟରେ ବନ୍ଧକ ଥିବା ଭଳି ଘଟଣା ଖବର ମିଳିଛି । ଏହି ପରିବାରର କରୁଣ କାହାଣୀକୁ ନେଇ ଚାରିଆଡେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ମିଳିଥିବା ସୂଚନା ଅନୁସାରେ ଏହି ଥାନା ଅର୍ନ୍ତଗତ ମିନଗୁର ମଣ୍ଡିପଡାରେ ବାସ କରିନ୍ତି ବଟକୃଷ୍ଣ ଗୋପାଳଙ୍କ ପରିବାର। ବଟକୃଷ୍ଣଙ୍କ ପରିବାର କହିଲେ ସ୍ତ୍ରୀ ବିଳାସିନୀ, ବଡ଼ଝିଅ ଲକ୍ଷ୍ମୀ, ଦ୍ୱିତୀୟ ଲୟ, ତୃତୀୟ ସରସ୍ଵତୀ, ଚତୁର୍ଥ ବୈଦେହୀ, ପଞ୍ଚମ ଝିଅ ପାର୍ବତୀ ଓ ଏକମାତ୍ର ପୁଅ ହରିଶ ସମେତ ୮୫ବର୍ଷିୟା ବୃଦ୍ଧା ମାଁକୁ ନେଇ ତାଙ୍କ ପରିବାର । ଏହି ପରିବାରର ଛଅ ସନ୍ତାନ ମାନଙ୍କ ମଧ୍ୟରୁ ସରସ୍ଵତୀ ଓ ପାର୍ବତୀ ଦୁଇ ଝିଅ କଥା କହି ପାରୁଥିବା ବେଳେ ଅନ୍ୟ ସମସ୍ତେ (ମୂକ) ଭିନ୍ନକ୍ଷମ । ଝାଟିମାଟି କୁଡିଆ ଘରେ ନଅ ପ୍ରାଣୀ କୁଟୁମ୍ବ କୌଣସି ପ୍ରକାରେ ରହିଆସୁଛନ୍ତି । ସରକାରଙ୍କ ତରଫରୁ ତାଙ୍କୁ ଆବାସ ଘର ଖଣ୍ଡେ ଆସିଥିଲା। ସେହି ଘର ନିର୍ମାଣ ପାଇଁ ପରିବାରବର୍ଗ ସବୁ ଲାଗି ପଡିଲେ। ଘରର ଏକମାତ୍ର ରୋଜଗାରିଆ ଭାବେ ବଟକୃଷ୍ଣ ପରିବାର ପ୍ରତିପୋଷଣ କରି ଆସୁଥିବା ବେଳେ ଘର ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେବାରୁ ଖାଦ୍ୟପେୟର ଅଭାବ ଦେଖାଦେଇଥିଲା। ଏପଟେ ଘର ଅଧପନ୍ତରିଆ ରହିଥିବା ବେଳେ ସବୁକୁ ଛାଡି ସେ ଦାଦନ ଖଟିବାକୁ ଗଲେ। ଜଣେ ଦାଦନ ସର୍ଦ୍ଦାରଙ୍କ ସହିତ ଯୋଗାଯୋଗ କରି ସ୍ତ୍ରୀ ବିଳାସିନୀ, ଝିଅ ଲୟ ଓ ଝିଅ ସରସ୍ଵତୀଙ୍କୁ ଧରି ବାହାରି ଗଲେ। ସେଠାରେ ଦାଦନ ସର୍ଦ୍ଦାର ଆନ୍ଧ୍ରପ୍ରଦେଶ ରାମଗୁଣ୍ଡାମ୍ କୁ ନେଇ ଅନ୍ୟ ଜଣେ ସଂପର୍କୀୟ ଲୋକଙ୍କୁ ଏମାନଙ୍କୁ ଜିମା ଦେଲା । ସେହି ସଂପର୍କୀୟ ଲୋକ ଏମାନଙ୍କୁ ଭଡା ଘର ଯୋଗାଇବା ସହିତ ଘରକାମରେ ନିୟୋଜିତ କଲେ। କିଛି ଦିନ କାମ କରିବା ପରେ ଖାଦ୍ୟପେୟ ତଥା ଟଙ୍କାର ଅଭାବ ଦେଖାଦେବାରୁ ଦାଦନ ସର୍ଦ୍ଦାରକୁ କହିବାରୁ ସେ ଟଙ୍କା ପଇସା କି ଖାଦ୍ୟ ବ୍ୟବସ୍ଥା ନ କରି ଓଲଟା ଗାଲି ଗୁଲଜ ଓ ମାରଧର କରିବାରେ ଲାଗିଲା । ନିର୍ଯ୍ୟାତନା ଅସହ୍ୟ ହେବାରୁ ବଟକୃଷ୍ଣର ପରିବାର ଘରକୁ ଫେରିଆସିବାକୁ ଅଡି ବସିଲେ। ଜିନିଷ ପତ୍ର ସଜାଡି ଘରକୁ ଆସିବାକୁ ସଜବାଜ ହେଉଥିବା ଖବର ପାଇ ଦାଦନ ସର୍ଦ୍ଦାରର ସଂପର୍କୀୟ ବଟକୃଷ୍ଣ ପରିବାର ରହୁଥିବା ଭଡା ଘର ନିକଟରେ ପହଞ୍ଚିଲା । ସ୍ତ୍ରୀ ବିଳାସିନୀକୁ ଧକ୍କା ଦେଇ ୧୪ ବର୍ଷିୟା ନାବାଳିକା ଝିଅ ସରସ୍ଵତୀଙ୍କୁ ଧରି ଫେରାର ହୋଇଯାଇଥିଲା । ବଟକୃଷ୍ଣର ପରିବାର ସେଠାରେ ଥିବା ପୋଲିସ ଷ୍ଟେସନକୁ ଯାଇ ଏ ବିଷୟରେ ଅଭିଯୋଗ କଲେ । ହେଲେ ଆନ୍ଧ୍ରପ୍ରଦେଶ ର ରାମଗୁଣ୍ଡାମ୍ ପୋଲିସ କିଛି ପଦକ୍ଷେପ ନେଲା ନାହିଁ। ଭୋକ ଉପାସରେ ୧୫ ଦିନ ଝିଅର ଫେରିବା ବାଟକୁ ଚାହିଁ ଅପେକ୍ଷା କଲେ। ମାତ୍ର ଝିଅ ଫେରିଲା ନାହିଁ, ଶେଷରେ ଭାଙ୍ଗିପଡି ଏହି ନିରିହ ଦାଦନ ପରିବାର ନିଜଗ୍ରାମ ଧନପୁର କୁ ପ୍ରତ୍ୟାବର୍ତ୍ତନ କରିବାକୁ ବାଧ୍ୟ ହୋଇଛନ୍ତି । ଏସବୁ ସୂଚନା ଦେବା ସହିତ ଝିଅର ବାପା ମାଆ ଝିଅକୁ ଫେରାଇ ଆଣିବାକୁ ପ୍ରଶାସନ ପାଖରେ ଆକୂଳ ନିବେଦନ କରିଛନ୍ତି । ଝିଅର ଭବିଷ୍ୟତ ନଷ୍ଟ ହେବା ପୂର୍ବରୁ ଝିଅକୁ ଉଦ୍ଧାର କରାଯିବାର ଅତ୍ୟନ୍ତ ଆବଶ୍ୟକ ବୋଲି ମିନଗୁର ନାଏବ ସରପଞ୍ଚ ରାମଚନ୍ଦ୍ର ସାହୁ ମତବ୍ୟକ୍ତ କରିଛନ୍ତି।