ଲଘୁଚାପ ଜନିତ ବର୍ଷାରେ କାଣ୍ଡେଲ ପେକ୍ସ ଅଧୀନ ମଣ୍ଡିରେ ପଡ଼ିରହିଛି କୁଇଣ୍ଟାଲ କୁଇଣ୍ଟାଲ ଧାନ

କେସିଙ୍ଗା ତା,୨୬.୧୨ (ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲ୍ଳାର କେସିଙ୍ଗା ବ୍ଲକର ୮୦ ପ୍ରତିଶତ ଲୋକ ଧାନ ଚାଷ ଉପରେ ନିର୍ଭର କରୁଥିବା ବେଳେ କପା, ଡାଲି ଜାତୀୟ ଫସଲ ମଧ୍ୟ କରିଥାନ୍ତି। ଚାଷୀ ଏହି ଧାନ ଫସଲରୁ ଗୁଜୁରାଣ ମେଣ୍ଟାଇ ଥାଏ। ଜିଲ୍ଲାରେ ଚିରସ୍ରୋତା , ତେଲନଦୀ, ଉତ୍ତେଇ ନଦୀ ଆଦି ପ୍ରବାହିତ ହେଉଥିବା ବେଳେ ମରୁଡି ସମୟରେ କେସିଙ୍ଗା ଅଞ୍ଚଳର ଚାଷୀ ଚାଷ ପାଇଁ ପାଣି ପାଇ ନ ଥାଏ । ଯାହା ଫଳରେ ଏହି ଅଞ୍ଚଳରେ ଚାଷୀ ପ୍ରତିବର୍ଷ ମରୁଡିର ଶିକାର ହୋଇଥାଏ । ଏହି ଅଞ୍ଚଳରେ ଚାଷୀ ବର୍ଷା ଜଳକୁ ଅନେଇ ଚାଷ କରିଥାଏ । ଚଳିତବର୍ଷ ଏହି ଅଞ୍ଚଳରେ ଭଲ ଧାନ ଫସଲ ହୋଇଥିବା ବେଳେ ଫସଲ ପାକଳ ହେବା ବେଳକୁ ବର୍ଷାର ଅଭାବ ଯୋଗୁ କିଛି ଧାନ ଫସଲ ନଷ୍ଟ ହୋଇଥିଲା । ଏବେ ଅମଳ ବେଳକୁ ଅଦିନିଆ ବର୍ଷା ଯୋଗୁ ପାଚିଲା ଧାନ ଫସଲ ନଷ୍ଟ ହେବା ସହ ଗଜା ହେବାକୁ ବସିଛି । ବିଲରେ କଟାଧାନ ବର୍ଷାରେ ଭିଜି ଗଜା ହେବାକୁ ବସିଛି । ଧାନ ଖରାରେ ନ ଶୁଖିଲା ପର୍ଯ୍ୟନ୍ତ ଚାଷୀ ଖଳାକୁ ନେଇପାରିବ ନାହିଁ । ଏଭଳି ପରିସ୍ଥିତିରେ କିଭଳି ମଣ୍ଡିକୁ ନେଇ ଧାନ ବିକ୍ରି କରିବେ ସେ ନେଇ ଚାଷୀ ଚିନ୍ତାରେ ଅଛନ୍ତି । କେସିଙ୍ଗା ବ୍ଲକରେ ଖରିଫ ଋତୁରେ ୯ ହଜାରରୁ ଅଧିକ ହେକ୍ଟରରେ ଧାନଚାଷ ହୋଇଥିବା ଜଣାପଡିଛି । ବର୍ଷାରେ ଧାନ ନଷ୍ଟ ହୋଇଯାଇଥିବାରୁ ପ୍ରଶାସନ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବା ସହ ମଣ୍ଡିରେ ନିୟମ କୋହଳ କରିବାକୁ ଚାଷୀ ମହଲରେ ଦାବି ହେଉଛି। ଶୀତ, କାକର, ବର୍ଷାରେ ଚାଷୀ କଷ୍ଟ ପାଉଛନ୍ତି। କଣ୍ଡେଲା ପେକ୍ସ ଅଧୀନରେ ୪ଟି ଧାନ ମଣ୍ଡି ଖୋଲାଯାଇଛି ଯଥା କାଣ୍ଡେଲ,ବାଲସି ଉପମଣ୍ଡି, ସିରୋଲ ଓ ମଶାଣିବନ୍ଧ ଗ୍ରାମ ଠାରେ ସର୍ବମୋଟ ୪ଟି ଧାନମଣ୍ଡି ଖୋଲାଯାଇଛି। ଗତ ମଙ୍ଗଳବାର ଠାରୁ ଗୁରୁବାର ଯାଏ ଲଗାତାର ଲଘୁଚାପ ଜନିତ ବର୍ଷା ହେବାରୁ ଧାନ ମଣ୍ଡିରେ ଖୋଲା ଆକାଶ ତଳେ ଶହ ଶହ କ୍ୱିଣ୍ଟାଲ ଧାନ ପଡି ରହିଛି। କାଣ୍ଡେଲ ଧାନ ମଣ୍ଡିରେ ୪୦୨ ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି । ସେଥିମଧ୍ୟରୁ ୮୬ ଜଣ ଚାଷୀଙ୍କ ଠାରୁ ୩ ହଜର ୩୪୨କ୍ୱିଣ୍ଟାଲ ଧାନ ମିଲର କ୍ରୟ କରିଛି।ସିରୋଲ ଧାନ ମଣ୍ଡିରେ ୩୩୪ ଜଣ ପଞ୍ଜିକୃତ ଚାଷୀଙ୍କ ମଧ୍ୟରୁ ୩୧ଜଣ ଚାଷୀଙ୍କ ଠାରୁ ଆଜିଯାଏ ୧ ହଜାର ୧୩୭ କ୍ୱିଣ୍ଟାଲ ଧାନ ମିଲର କ୍ରୟ କରିଛି। ସେହିପରି ବାଲସି ଉପମଣ୍ଡି ଓ ମଶାଣିବନ୍ଧ ଧାନ ମଣ୍ଡିରେ ଆରମ୍ଭ ଦିନ ଠାରୁ ୫୦ ଜଣ ଚାଷୀଙ୍କ ଠାରୁ ୨ ହଜାର ୩୦୦ କ୍ୱିଣ୍ଟାଲ ଧାନ ମିଲର କ୍ରୟ କରିଛି। ଧାନ କ୍ୱିଣ୍ଟାଲ ପ୍ରତି ୨୩୦୦ ଟଙ୍କାରେ ମିଲର କ୍ରୟ କରୁଛି। ବୋନସ ବାବଦକୁ ୮୦୦ଟଙ୍କା ଏହିପରି ୩ହଜାର ଏକ ଶହ ଟଙ୍କା ଚାଷୀ ପାଉଛି। କିନ୍ତୁ ଏହି ମଣ୍ଡି ଗୁଡ଼ିକରେ ଧାନ କ୍ରୟ କରିବା ପାଇଁ ୪ଟି ମିଲର୍ସ କୁ ଦାୟିତ୍ୱ ଦିଆଯାଇଛି। କେସିଙ୍ଗା ସ୍ଥିତ ଜେ. ଏ.ଆଇ.ଏନ. ରାଇସ ମିଲ , ବିଟ୍ ରାଜ , ଜିନ ମାତାଦୀ ଏଗ୍ରୋ ଡୁମେର ମୁଣ୍ଡା , କଳିଙ୍ଗ ରାଇସ ମିଲ ବଗାଡ଼କୁ ଦାୟିତ୍ୱ ଦିଆଯାଇଛି। ଚାଷୀଙ୍କ ଧାନରୁ କ୍ୱିଣ୍ଟାଲ ପ୍ରତି ୫ରୁ ୭କେଜି ଧାନ କାଟୁ ଥିବାରୁ ଚାଷୀମାନେ ଅଭିଯୋଗ କରିଛନ୍ତି। ଅସନ୍ତୋଷ ଚାଷୀମାନେ ଜିଲ୍ଲାପାଳ, ଖାଦ୍ୟ ଯୋଗାଣ ବିଭାଗ କୁ ଅଭିଯୋଗ କରିବା ସତ୍ତ୍ୱେ କିଛି ବି ସୁଫଳ ମିଳୁ ନାହିଁ। ଶୀତ, ବର୍ଷାରେ ଖୋଲା ଆକାଶ ତଳେ ଚାଷୀ ମଣ୍ଡିରେ ଧାନ ବିକ୍ରି ଦିନ ଜଗି ରହୁଛି। ଏ ସଂକ୍ରାନ୍ତରେ କେସିଙ୍ଗା ଖାଦ୍ୟ ଯୋଗାଣ ଅଧିକାରୀ ସୁଶାନ୍ତ କୁମାର ସ୍ୱାଇଁ ଙ୍କୁ ପଚାରିବାରୁ ମୋ ଲିଖିତ ଆକାରରେ ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ନେବି ବୋଲି ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *