ସରକାରୀ ନିୟମକୁ ବେଖାତିରି, ଚାଲିଛି ବେଧଡକ ବାଲି ଲୁଟ୍

ଟିଟିଲାଗଡ଼/କେସିଙ୍ଗା ୧୪/୧୨ ଟିଟିଲାଗଡ଼ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଜନୈକ ବ୍ୟକ୍ତିଙ୍କୁ ପ୍ରାୟ ତିନି ବର୍ଷ ପୂର୍ବରୁ ବଲାଙ୍ଗିର ଏବଂ କଲାହାଣ୍ଡି ଜିଲା ସୀମାନ୍ତ ମହଦା ବାଲିଘାଟ ନିଲାମ ଦେଇଥିଲେ। କିନ୍ତୁ ନିଲାମ ଅବଧି କେଉଁ ପର୍ଯ୍ୟନ୍ତ ଥିଲା ଏବଂ କେତେ ପରିମାଣରେ ବାଲି ଉଠାଣ କରିବା ପାଇଁ ନିର୍ଦ୍ଦେଶ ଥିଲା ତାହା ଜଣାନଥିଲେ ମଧ୍ୟ ତାଠାରୁ ଅଧିକ ପରିମାଣରେ ବେଆଇନ ଭାବରେ ବ୍ୟାପକ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ନଦୀରୁ ଜେସିବି ମେସିନ ସହାୟତାରେ ଦିନରାତି ବଡ଼ ବଡ଼ ହାଇୱା ଯୋଗେ କେସିଙ୍ଗା ସହର ମଧ୍ୟ ଦେଇ ବାଲି ବୁହାଚାଲିଛି । ଏନେଇ ସ୍ଥାନୀୟ ଅଞ୍ଚଳବାସୀ ଅନେକଥର ଟିଟିଲାଗଡ଼ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ହେଲେ କୈାଣସି ପଦକ୍ଷେପ ନିଆଯାଇନାହିଁ। ଅନ୍ୟପକ୍ଷରେ ଚୋରା ଚାଲାଣକାରୀ ଓଲଟି ଟିଟିଲାଗଡ଼ ଥାନାରେ ଅଭିଯୋଗକାରୀଙ୍କ ନାମରେ ମାମଲା ରୁଜୁ କରିଥିବାରୁ ବର୍ତ୍ତମାନ ଅଞ୍ଚଳବାସୀ ନିରବ ହୋଇଯାଇଛନ୍ତି। ବଲାଙ୍ଗିର ଜିଲାର ଟିଟିଲାଗଡ଼ ତହସିଲରୁ ଖାଦାନ ଲିଜରେ ପାଇ ଠିକାଦାର ନଦୀ ମୁହଁରୁ ପ୍ରାୟ ୧ କିଲୋମିଟର ଦୂର କଳାହାଣ୍ଡି ଜିଲା ଅଞ୍ଚଳରୁ ବାଲି ଉଠାଣ କରୁଛି। ଚିରସ୍ରୋତା ତେଲନଦୀର ଧାରା ଲାଗିରହିଥିବା ବେଳେ ଓଦା ବାଲି ହାଇଓ୍ବା ଯୋଗେ ପରିବହନ ହେଉଛି । ବିଗତ ଦିନମାନଙ୍କରେ ଘାଟରୃ ବାଲି ଉଠାଣ ସ୍ଥାନୀୟ ରାଜସ୍ୱ ବିଭାଗ ପୁଲିସ ଅଧୀନରେ ଥିଲାବେଳେ ବାଲି ଚୋରା ଚାଲାଣ ଉପରେ ନଜର ରଖୁଥିଲେ ଏବଂ ବେଆଇନ ଚାଲାଣକାରୀଙ୍କ ଠାରୁ ରୟାଲିଟ୍ ବାବଦ ଜୋରିମାନା ଅସୁଲ କରୁଥିଲେ । ଏଥିଯୋଗୁ ଟିଟିଲାଗଡ଼ ତହସିଲ କାର୍ଯ୍ୟାଳୟ ଓ ଥାନାରେ ବାଲି ବୋଝେଇ ଟ୍ରାକ୍ଟରର ମେଳା ଲାଗୁଥିଲା । ହେଲେ ଗତ ୫-ଟି ସରକାର ହେଲା ପରେ ବାଲି ଖାଦାନକୁ ରାଜସ୍ୱ ବିଭାଗରୁ ନେଇ ଖଣି ବିଭାଗ ବିଭାଗ ହାତରେ ଟେକି ଦେବା ଯୋଗୁଁ ତହସିଲଦାର ଓ ପୋଲିସ ବିଭାଗ ହାତବାନ୍ଧି ବସିଛନ୍ତି। ତେବେ ଦୈନିକ ଏତେ ପରିମାଣରେ ବାଲି କିଏ ଆବଶ୍ୟକ କରୁଛି ସେ ନେଇ ଚର୍ଚ୍ଚା ହେଉଛି । ଏହି ବାଲି ସିଧାସଳଖ ବାହାର ରାଜ୍ୟକୁ ଚାଲାଣ ହେଉଛି ଓ କିଛି ନିର୍ଦିଷ୍ଟ ସ୍ଥାନରେ ମହଜୁଦ ମଧ୍ୟ ରଖାଯାଉଛି । ବାଲିରୁ କୋଟି କୋଟି ଟଙ୍କାର ବେପାର ଚାଲିଥିବା ବେଳେ ଠିକାଦାର ଓ କିଛି ସ୍ୱାର୍ଥନ୍ୱେଷୀ ଅଧିକାରୀ ମାଲାମାଲ ହେଉଥିବା ଅଭିଯୋଗ ହେଉଛି । ରାଜ୍ୟରେ ଖଣି ଖାଦାନ ଲୁଟ ସହ ବ୍ୟାପକ ରାଜସ୍ୱ ହାନୀ ହେଉଥିବା ପୂର୍ବରୁ ବିରୋଧୀ ଦଳରେ ଥିବା ବିଜେପି ହାଲ୍ଲାଚିଲ୍ଲା କରୁଥିଲା । ବର୍ତ୍ତମାନ ରାଜ୍ୟରେ ବିଜେପି ସରକାର ଶାସନ କରୁଥିବା ବେଳେ କାର୍ଯ୍ୟାନୁଷ୍ଠାନ ନେବାକୁ କେମିତି ଭୁଲିଗଲେ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି । ଏନେଇ ସନ୍ଦେହ ଘେରରେ ଥିବା ଖଣି ବିଭାଗ ଅଧିକାରୀ ଫୋନ ଉଠାଉନଥିବା ବେଳେ ବଲାଙ୍ଗୀର ଓ କଳାହାଣ୍ଡି ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *