
କେସିଙ୍ଗା ତା୩୦.୧୦(ତୁମେଶ୍ୱର ସାହୁ)କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ସିରୋଲ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଡୁମେରମୁଣ୍ଡା ଗ୍ରାମ ନିକଟରେ ଥିବା ବିଶ୍ଵନାଥ ରାଇସ ମିଲ୍ କୁ ସଂଯୋଗ ହୋଇଥିବା ସରକାରୀ ଗୋଚର ଜମି ଉପରେ ରାସ୍ତା ନିର୍ମାଣ କରିଥିବାରୁ ଗ୍ରାମବାସୀମାନେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା ଜଣାଯାଇଛି। କାଣ୍ଡେଲ -ଡୁମେରମୁଣ୍ଡା କୁ ସଂଯୋଗ ହୋଇଥିବା ମୁଖ୍ୟରାସ୍ତା ଠାରୁ ବିଶ୍ୱନାଥ ରାଇସ ମିଲ୍କୁ ସଂଯୋଗ ହୋଇଥିବା ସରକାରୀ ଗୋଚର ଜମି ଉପରେ ଉକ୍ତ ରାଇସ ମିଲ୍ ମାଲିକ ବେଆଇନ ଭାବେ ରାସ୍ତା ନିର୍ମାଣ କରି ଯାନବାହନ ଚଳାଚଳ କରିବା ସହ ରାଇସ ମିଲ୍ କୁ ରାଜସ୍ୱ ବିଭାଗର ବିନା ଆଦେଶରେ ରାସ୍ତା ନିର୍ମାଣ କରାଯାଇଛି। ସିରୋଲ ମୌଜା ଖାତା ନମ୍ବର ୨୮୫ ଅନୁସାରେ ଗୋଚର ଜମି ଉପରେ ଥିବା ପ୍ଲଟ୍ ନମ୍ବର ୩୧,୩୨ ଓ ମୁଣ୍ଡାରାସ୍ତା ପ୍ଲଟ୍ ନମ୍ବର ୭୨,୭୩,୭୫ରେ ରାସ୍ତା ନିର୍ମାଣ କରି ଯାନବାହନ ଚଳାଚଳ କରିବା ଦ୍ୱାରା ଧୂଳିଧୂସରରେ ଲୋକେ ଅତିଷ୍ଠ ହୋଇଯାଉଛନ୍ତି। ଲୋକେ କାଣ୍ଡେଲ ଠାରୁ କେସିଙ୍ଗା ଯିବା ଆସିବା ବେଳେ କୁଣ୍ଡା ଓ ଧୂଳି ଉଡି ଆଖିରେ ପଶି ଯାଉଥିବାରୁ ଲୋକେ ନାନା ହଇରାଣ ହରକତ ହେଉଛନ୍ତି।ତେଣୁ ରାଜ୍ୟ ପ୍ରଦୂଷଣ ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଜିଲ୍ଲାପାଳ ସରକାରୀ ରାସ୍ତାକୁ ଉଚ୍ଛେଦ କରି ମୁଖ୍ୟ ରାସ୍ତା ପାର୍ଶ୍ବରେ ଏକ ବାଡା ନିର୍ମାଣ କରି ରାସ୍ତା ବନ୍ଧ କରିବା ପାଇଁ ସାଧାରଣରେ ଦାବି ହେଉଛି। ଏ ସଂକ୍ରାନ୍ତରେ ସିରୋଲ ରାଜସ୍ୱ ନିରୀକ୍ଷକ ଲୋହିତ ବଗର୍ତ୍ତି ଙ୍କୁ ପଚାରିବାରୁ ମୁଁ ନୂଆ କରି ସିରୋଲ ରାଜସ୍ବ କାର୍ଯ୍ୟାଳୟ ରେ ଯୋଗଦାନ କରିଛି। ମୋ ନିକଟକୁ ତଦନ୍ତ ପାଇଁ କିଛି ଅଭିଯୋଗ ଆସି ନାହିଁ। ଆସିଲେ ତଦନ୍ତ କରି ତହସିଲଦାର ଙ୍କୁ ରିପୋର୍ଟ ଦେବି ବୋଲି ପ୍ରକାଶ କରିଥିଲେ।
ତୁମେଶ୍ୱର ସାହୁ, ପ୍ରତିନିଧି, କେସିଙ୍ଗା