
କେସିଙ୍ଗା -୧୨/୯ ରାଜ୍ୟ ସରକାର ଶାସନକୁ ଲୋକାଭିମୁଖୀ କରିବା ପାଇଁ ଆମ ଶାସନ ନାଁ ରେ ୧୪୪୭୧ ନମ୍ବରରେ ହେଲ୍ପଡେକ୍ସ ଖୋଲିଛନ୍ତି। ଏହି ହେଲ୍ପଡେକ୍ସ ମାଧ୍ୟମରେ ବିଭିନ୍ନ ବିଭାଗ ବିଷୟରେ ଅଭିଯୋଗ ଓ ସୁଶାସନ ନିମନ୍ତେ ନିଜର ମତମତ ଦେବା ଲାଗି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସେହିପରି ବିଭିନ୍ନ ନଗର ନିଗମ, ପୌରାଞ୍ଚଳ ଓ ପୌର ପରିଷଦର ରାସ୍ତାଘାଟ ଯେପରି ଖାଲଖମା ନରୁହେ ତାହାର ତୁରନ୍ତ ମରାମତି ପାଇଁ ୧୯୨୯ ନମ୍ବର ରେ ଆଉ ଏକ ହେଲ୍ପଡେକ୍ସ ମଧ୍ୟ ଖୋଲିଛନ୍ତି। ଏହି ନମ୍ବରରେ ଉପରୋକ୍ତ ଅଞ୍ଚଳର ଯେ କୌଣସି ରାସ୍ତାଘାଟ ଖାଲଖମା ହୋଇଥିବ ତା’ ବିଷୟରେ ଅଭିଯୋଗ କଲେ ତୁରନ୍ତ ମରାମତି କରାଯିବ। କିନ୍ତୁ ପରିତାପର ବିଷୟ କେସିଙ୍ଗା ଏନଏସିର ୯ ନମ୍ବର ଓ ୧୦ ନମ୍ବର ଦେଇ ଯାଇଥିବା ଆମ୍ବେଦକର ଛକ ଠାରୁ ଜଗନ୍ନାଥ ପଡା ଉଚ୍ଚ ପ୍ରାଥମିକ ଛକ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଥିବା ନେଇ ଜନୈକ ଗଣମାଧ୍ୟମ ପ୍ରତିନିଧି ଗତ ୪/୯/୨୦୨୫ରେ ୧୯୨୯ ନମ୍ବର ହେଲ୍ପଡେକ୍ସକୁ ଫୋନ କରିବା ପରେ ୨୬୫୭୨୩୯୨୯୮ ନମ୍ବର ଏକ ଟୋକନ୍ ଦେଇ ଅଭିଯୋଗ ପଞ୍ଜିକୣତ କରିଥିଲେ। ଏହାର ୩ ଦିନ ପରଠାରୁ ସମ୍ବାଦ ଲେଖା ହେଲା ପର୍ଯ୍ୟନ୍ତ ତୁରନ୍ତ ରାସ୍ତା ମରାମତି ହୋଇଯିବ ବୋଲି ହେଲ୍ପଡେକ୍ସରେ ବସୁଥିବା କର୍ମଚାରୀ କହୁଥିବା ବେଳେ ଆଜି ଘ୧୧. ୪୭ମି. ରେ ଏକ ମେସେଜ ଆସିଥିଲା ଯେ ‘your complaint token No. 9657239298 on saharasathi has been resolved. For details please visit saharasathi.odisha.gov.in’ link ଦେଇଛନ୍ତି। ଯାହାକି ଏହି ଲିଙ୍କ୍ ଖୋଲିବା ପାଇଁ ବାରମ୍ବାର ଚେଷ୍ଟା କରାଯିବା ପରେ ମଧ୍ୟ ଘ ୫. ୫୪ ମି. ରେ ଖୋଲିନଥିଲା। ଏ ବିଷୟରେ ହେଲ୍ପଡେକ୍ସରେ ବସିଥିବା କର୍ମଚାରୀଙ୍କୁ ପଚାରିଲେ, ଆଉଥରେ ଅଭିଯୋଗ ପଞ୍ଜିକରଣ କରନ୍ତୁ ବୋଲି କହିଥିଲେ। କିନ୍ତୁ ଏହାପରେ ମଧ୍ୟ ରାତି ଘ୮.୯ମି. ପର୍ଯ୍ୟନ୍ତ ଲିଙ୍କ ଖୋଲି ନଥିଲା।। ତେଣୁ ସରକାରଙ୍କ ହେଲ୍ପଡେକ୍ସ ନମ୍ବର ଏକ ପ୍ରହସନ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
