ସିଟିଜେନ୍ ଫୋରମ ପକ୍ଷରୁ ଆରକ୍ଷୀ ଅଧୀକ୍ଷଙ୍କୁ ୯ ଦଫା ଦାବିପତ୍ର ପ୍ରଦାନ

କେସିଙ୍ଗା- ତା୨୦/୪ କେସିଙ୍ଗା ସ୍ଥିତ ବିଦ୍ୟାପୀଠ ସଭାଗୣହରେ ସିଟିଜେନ ଫୋରମ ପକ୍ଷରୁ ଏକ ସାଧାରଣ ବୈଠକ ଆଜି ରବିବାର ଅନୁଷ୍ଠିତ ହୋଇଯାଇଛି । ଫୋରମର ସଭାପତି ହେମସାଗର ସାହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବେରା କୋଣ୍ଡା, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ଏସ ଡ଼ି ପି ଓ ରଶ୍ମି ରଞ୍ଜନ ସେନାପତି, ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ସଭାରେ ସହରର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଏହାପରେ ଏସ ପିଙ୍କୁ ସିଟିଜେନ ଫୋରମ ପକ୍ଷରୁ ସହର ବିଭିନ୍ନ ସମସ୍ୟା ନେଇ ଏକ ୯ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ଦାବିପତ୍ର ମଧ୍ୟରେ ଜଗନ୍ନାଥ ପଡାରେ ଏକ ଆଉଟ ପୋଷ୍ଟ ସ୍ଥାପନ କରିବା, ସହରରେ ବିଭିନ୍ନ ସ୍ଥାନରେ ଚୋରି ରୋକିବାକୁ ରାତ୍ର ପେଟ୍ରୋଲିଂ ଜୋରଦାର କରିବା, ଦେଶୀ କୁଚିଆ ମଦ ବିକ୍ରି ରୋକିବା, ସହରର ମଧ୍ୟ ଭାଗରେ ଥିବା କବାଡି ଗୋଦାମ ଗୁଡିକୁ ସ୍ଥାନାନ୍ତରିତ କରିବା, ଟ୍ରାଫିକ ସମସ୍ୟା ଦୂର କରିବା, ବ୍ୟବସାୟିକଙ୍କ ଗୋଦାମ ଗୁଡ଼ିକୁ ସହରର ବାହାରକୁ ସ୍ଥାନାନ୍ତରିତ କରିବା, ସହରର ମୁଖ୍ୟ ସ୍ଥାନରେ ସି ସି କ୍ୟାମେରା ଲଗାଇବା, ପାଷ୍ଟିକୁଡି ଛକରେ ଦୁର୍ଘଟଣା ରୋକିବା ଆଦି ସମସ୍ୟା ଗୁଡିକୁ ଏସ ପି ଙ୍କ ନିକଟରେ ଦାବି ଜଣାଇଥିଲେ। ସ୍ଥାନୀୟ ଉଠା ଜଳସେଚନ ଅଫିସ ଦୀର୍ଘ ବର୍ଷ ହେଲା ଅଚଳାବସ୍ଥା ପଡିରହିଛି। ଉକ୍ତ ସରକାରୀ କାର୍ଯ୍ୟାଳୟର ୩୦ଡ଼ିସମିଲ ଜାଗାକୁ ଏନ ଏ ସି କୁ ହସ୍ତାନ୍ତର କରିବା ପାଇଁ ଜିଲ୍ଲା ପ୍ରଶାସନକୁ ସିଟିଜେନ ଫୋରମ ପକ୍ଷରୁ ଦାବି କରାଯାଇଥିଲା । ସିଟିଜେନ ଫୋରମ ପକ୍ଷରୁ ଏସପି, ଏସପିଡ଼ିଓ ଏବଂ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଥିଲା। ଫୋରମର ସମ୍ପାଦକ ବି.ଚନ୍ଦ୍ର ଶେଖର ଆଚାରି ମଞ୍ଚ ପରିଚାଳନା କରିଥିଲା ବେଳେ କେସିଙ୍ଗା ମହାବିଦ୍ୟାଳୟର ଅଵସର ପ୍ରାପ୍ତ ଅଧ୍ୟକ୍ଷ ବିନାୟକ ନାଏକ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *