ସିର୍ଜାପାଲି ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ହଡ଼ପ ଅଭିଯୋଗ

କେସିଙ୍ଗା- ୫/୧0 ସରକାର ବିଦ୍ୟାଳୟମାନଙ୍କରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତ ସଂଖ୍ୟା ବୃଦ୍ଧି ଓ ଗୁଣାତ୍ମକ ଶିକ୍ଷାର ବିକାଶ ନିମନ୍ତେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିଛନ୍ତି । କିନ୍ତୁ ସରକାରଙ୍କ ଏହି ଜନମଙ୍ଗଳକାରୀ ଯୋଜନାର ଅର୍ଥ କେସିଙ୍ଗା ବ୍ଲକ ଅନ୍ତର୍ଗତ ସିର୍ଜାପାଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଆତ୍ମସାତ କରାଯାଇଥିବା ଚର୍ଚ୍ଚା ହେଉଛି । ଘାସିରାମ ଦୋରା ସରକାରୀ ଉଚ୍ଚ ବିଦ୍ୟାଳୟ, ବେଲଖଣ୍ଡିରୁ ପାରସ୍ପରିକ ଡେପୁଟେସନରେ ଆସି କାର୍ଯ୍ୟ କରୁଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଦ୍ବାରା ନିୟମକୁ ସମ୍ପୂର୍ଣ୍ଣ ଉଲ୍ଲଘନ କରାଯାଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁସାରେ ସିର୍ଜାପାଲିରେ ଗତ ତା ୧୬.ଫେବୃୟାରୀ ୨୦୨୪ ରିଖ ଠାରୁ ତା ୨୪ଫେବୃୟାରୀ ୨୦୨୪ରିଖ ପର୍ଯ୍ୟନ୍ତ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ତା ୧୮.୦୨.୨୦୨୪ରିଖ ବ୍ୟତୀତ ବିଦ୍ୟାଳୟକୁ ଅନ୍ୟ ଦିନ ଅଘୋଷିତ ଛୁଟି ଘୋଷଣା କରାଯାଇଥିଲା । ଏହି ସମୟରେ ପ୍ରଥମ ରୁ ଦଶମ ଶ୍ରେଣୀରୁ ଜଣେ ମଧ୍ୟ ଛାତ୍ରଛାତ୍ରୀ ସ୍କୁଲକୁ ଆସିନଥିବା ବେଳେ ଉକ୍ତ ୮ ଦିନ ପିଲାମାନଙ୍କ ପାଇଁ ମଧ୍ୟାହ୍ନ ରନ୍ଧା ଯାଇନଥିଲା । କିନ୍ତୁ ମଧ୍ୟାହ୍ନ ଭୋଜନ ଅର୍ଥ ବାଟମାରଣା ପାଇଁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ଏକ ସୁଯୋଗ ମିଳିଥିଲା ବୋଲି କୁହାଯାଉଛି । ପ୍ରଥମ ରୁ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିବା ୧୯୮ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଫେବୃୟାରୀ ୧୬ ତାରିଖରେ ୧୭୩, ୧୭ ତାରିଖରେ ୧୮୨, ୧୯ ତାରିଖରେ ୧୭୪, ୨୦ ତାରିଖରେ ୧୮୨, ୨୧ତାରିଖରେ ୧୮୦, ୨୨ ତାରିଖରେ ୧୮୪, ୨୩ ତାରିଖରେ ୧୮୪ ଏବଂ ୨୪ତାରିଖରେ ୧୮୬ ଛାତ୍ରଛାତ୍ରୀ ବିଦ୍ୟାଳୟରେ ଉପସ୍ଥିତ ରହିଥିବା କାଗଜପତ୍ରରେ ଦର୍ଶାଯାଇଛି । ସମୁଦାୟ ୧୪୪୫ ଜଣ ମଧ୍ୟାହ୍ନ ଭୋଜନ ଖାଇଛନ୍ତି ବୋଲି ସରକାରଙ୍କ ପି.ଏମ୍. ପୋଷଣ ଓଡିଶା ୱେବସାଇଟରେ ଅନ୍ ଲାଇନ୍ରେ ବି ମିଥ୍ୟା ତଥ୍ୟ ଦାଖଲ କରିଛନ୍ତି। ଏ ସଂକ୍ରାନ୍ତରେ ସରକାରଙ୍କ ତହବିଲରୁ ମିଥ୍ୟା ବିଲ୍ ଦାଖଲ କରି ପିଲାମାନଙ୍କ ମଧ୍ୟାହ୍ନ ଭୋଜନ ଅର୍ଥ ବାଟମାରଣା କରିଛନ୍ତି ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି। ତେବେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଚାଲିଥିବା ଫେବୃଆରୀ ୧୬ ରୁ ୨୪ ପର୍ଯ୍ୟନ୍ତ ସ୍କୁଲକୁ ଛାତ୍ରଛାତ୍ରୀମାନେ ଆସିନଥିବା ବେଳେ କେମିତି ସେମାନେ ମଧ୍ୟାହ୍ନ ଭୋଜନ ଖାଇଲେ ତାହା ସନ୍ଦେହ ସୃଷ୍ଟି କରିଛି । ତେଣୁ ଏହା ତଦନ୍ତ ସାପେକ୍ଷ। ଏ ବିଷୟରେ ଜନୈକ ଗଣମାଧ୍ୟମ ପ୍ରତିନିଧି ଜିଲ୍ଲା ଶିକ୍ଷାଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ନ ଉଠେଇବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

Leave a Reply

Your email address will not be published. Required fields are marked *